ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍(IPL ୨୦୨୬) ଆରମ୍ଭ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ କାରବାରକୁ ରୋକିବା ପାଇଁ ସରକାର ୩୦୦ରୁ ଅଧିକ ୱେବସାଇଟ ଏବଂ ଆପ୍ଲିକେସନକୁ ବ୍ଲକ କରିଦେଇଛନ୍ତି।
ସୂଚନା ଅନୁଯାୟୀ, ବ୍ଲକ କରାଯାଇଥିବା ସାଇଟଗୁଡ଼ିକ ମଧ୍ୟରେ ଅନଲାଇନ ସ୍ପୋର୍ଟସ ବେଟିଂ ପ୍ଲାଟଫର୍ମ, ଅନଲାଇନ କ୍ୟାସିନୋ, ରୁଲେଟ ଏବଂ ଲାଇଭ ଡିଲର ଟେବୁଲ ଭଳି ସୁବିଧା ଦେଉଥିବା ଆପ ସାମିଲ ଅଛି। ଏହା ବ୍ୟତୀତ P-୨-P ବେଟିଂ ମାର୍କେଟପ୍ଲେସ ଭାବେ କାମ କରୁଥିବା ସାଇଟଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି।
ସଦ୍ୟତମ କାର୍ଯ୍ୟାନୁଷ୍ଠାନରେ ୩୦୦ ସାଇଟ ବନ୍ଦ ହୋଇଛି। ସରକାର ଏପର୍ଯ୍ୟନ୍ତ ପ୍ରାୟ ୮,୪୦୦ ବେଆଇନ ୱେବସାଇଟକୁ ବ୍ଲକ କରିସାରିଲେଣି। ଏଥିମଧ୍ୟରୁ ପ୍ରାୟ ୪,୯୦୦ ସାଇଟ୍ କେବଳ ‘ଅନଲାଇନ ଗେମିଂ ଆକ୍ଟ’ ପାରିତ ହେବା ପରେ ବନ୍ଦ କରାଯାଇଛି। ସଟ୍ଟା/ମଟକା ନେଟୱର୍କ, ରିଅଲ ମନି କାର୍ଡ ଗେମ୍ ଏବଂ ବେଆଇନ କ୍ୟାସିନୋ ଆପ୍ଗୁଡ଼ିକ ଏହି ତାଲିକାରେ ରହିଛି।
ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ IPL ୨୦୨୬ର କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ସାଧାରଣତଃ ଆଇପିଏଲ୍ ସମୟରେ ଅନଲାଇନ ସଟ୍ଟାବାଜି କାରବାର ବହୁଗୁଣିତ ହୋଇଥାଏ। ଲୋକମାନେ ବିଭିନ୍ନ ବେଆଇନ ସାଇଟରେ ଟଙ୍କା ଜମା କରି ‘ID’ ନିଅନ୍ତି ଏବଂ ଜୁଆ ଖେଳନ୍ତି।
ଉପଭୋକ୍ତାଙ୍କ ସୁରକ୍ଷା ଏବଂ ଆର୍ଥିକ ବିପଦକୁ ଦୃଷ୍ଟିରେ ରଖି ସରକାର ନିଜର ଆଭିମୁଖ୍ୟ କଠୋର କରିଛନ୍ତି। ବିଧାନସଭା ନିର୍ବାଚନ ଏବଂ ଆଇପିଏଲ ମ୍ୟାଚ୍ ସମୟରେ ଏଭଳି ବେଆଇନ କାରବାର ଯେପରି ନ ବଢ଼େ, ସେଥିପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଏହି ସାଇଟ୍ଗୁଡ଼ିକ କେବଳ ଆର୍ଥିକ କ୍ଷତି ପହଞ୍ଚାନ୍ତି ନାହିଁ, ବରଂ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରି ହେବାର ଆଶଙ୍କା ଥାଏ। ତେଣୁ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା କୌଣସି ପ୍ଲାଟଫର୍ମ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।

