ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା ସତର୍କ ସୂଚନା ଜାରି କରାଯାଇଛି । ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ରେ ଏକାଧିକ ସୁରକ୍ଷା ତ୍ରୁଟି ଚିହ୍ନଟ ହୋଇଥିବାରୁ ଏହା ମୋବାଇଲ୍ ଡିଭାଇସ୍ ଓ ବ୍ୟକ୍ତିଗତ ତଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ। CERT-In ପକ୍ଷରୁ ୟୁଜର୍ସଙ୍କୁ ଶୀଘ୍ର ନିଜ ଫୋନ୍ରେ ଉପଲବ୍ଧ ଲାଟେଷ୍ଟ ସଫ୍ଟୱେର୍ ଓ ସିକ୍ୟୁରିଟି ଅପଡେଟ୍ ଇନଷ୍ଟଲ୍ କରିବାକୁ ପରାମର୍ଶ ଦିଆଯାଇଛି।
ସୁରକ୍ଷା ସଂସ୍ଥା ଅନୁସାରେ, Androidର ବିଭିନ୍ନ ଭର୍ସନ୍ରେ ଥିବା ତ୍ରୁଟିକୁ ହ୍ୟାକର୍ମାନେ ଦୁରୁପଯୋଗ କରି ମୋବାଇଲ୍ ଉପରେ ସାଇବର ଆକ୍ରମଣ କରିପାରନ୍ତି।
Android 14
Android 15
Android 16
Android 16 QPR2
Android 17
ଏହି ସୁରକ୍ଷା ତ୍ରୁଟିଗୁଡ଼ିକ ଆଣ୍ଡ୍ରଏଡ ରନଟାଇମ, ଡକ୍ୟୁମେଣ୍ଟUI, ମିଡିଆ ଟେକ୍ ଫ୍ରେମଓ୍ବାର୍କ, Media Codecs, ମିଡିଆ ପ୍ରୋଭାଇଡର, ଟେଲିଫୋନି, UWB ଓ Wi-Fi ଭଳି ବିଭିନ୍ନ ସିଷ୍ଟମ୍ ଅଂଶ ସହ ଜଡ଼ିତ। କିଛି ତ୍ରୁଟିର ଫାଇଦା ନେଇ ଆକ୍ରମଣକାରୀ ଡିଭାଇସ୍ରେ ନିଜ ଇଚ୍ଛା ଅନୁସାରେ କୋଡ୍ ଚଳାଇପାରନ୍ତି। ଏହାସହ ସିଷ୍ଟମ୍ର ଗୁରୁତ୍ୱପୂର୍ଣ୍ଣ ଅନୁମତି ହାସଲ କରିବା, ଫୋନ୍ରେ ଥିବା ବ୍ୟକ୍ତିଗତ ତଥ୍ୟ ଚୋରାଇବା କିମ୍ବା ଡିଭାଇସ୍କୁ ଅଚଳ କରିବା ଭଳି ବିପଦ ମଧ୍ୟ ରହିଛି। ଅର୍ଥାତ୍, ଏହି ସୁରକ୍ଷା ତ୍ରୁଟି ଦୂରରେ ଥିବା ହ୍ୟାକର୍ଙ୍କୁ ଆପଣଙ୍କ Android ଫୋନ୍ରେ ଅନଧିକୃତ ପ୍ରବେଶର ସୁଯୋଗ ଦେଇପାରେ।
ଏହି ସୁରକ୍ଷା ତ୍ରୁଟିଗୁଡ଼ିକୁ ଠିକ୍ କରିବା ପାଇଁ ଗୁଗଲ୍ ପକ୍ଷରୁ ସୁରକ୍ଷା ପ୍ୟାଚ୍ ଜାରି କରାଯାଇଛି। ତେଣୁ Android ୟୁଜର୍ସ ନିଜ ଫୋନ୍ରେ ନୂଆ ସିକ୍ୟୁରିଟି ଅପଡେଟ୍ ଉପଲବ୍ଧ ଅଛି କି ନାହିଁ ତୁରନ୍ତ ଯାଞ୍ଚ କରନ୍ତୁ।
ସାଧାରଣତଃ Settings > System > Software Update କିମ୍ବା Settings > Security & Privacy > System Updates ଯାଇ ଅପଡେଟ୍ ଚେକ୍ କରିପାରିବେ। ତେବେ ମୋବାଇଲ୍ କମ୍ପାନୀ ଅନୁସାରେ ଏହି ବିକଳ୍ପର ନାମ କିଛିଟା ଭିନ୍ନ ହୋଇପାରେ।
ଏହାସହ ଅଜଣା ସୋର୍ସରୁ ଆପ୍ ଡାଉନଲୋଡ୍ ନକରିବା, ସନ୍ଦେହଜନକ ଲିଙ୍କ୍ରେ କ୍ଲିକ୍ ନକରିବା ଏବଂ ଅଜଣା ମେସେଜ୍, ଇ-ମେଲ୍ କିମ୍ବା ସୋସିଆଲ୍ ମିଡିଆରୁ ଆସୁଥିବା ଫାଇଲ୍ ଖୋଲିବା ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।