ଏଥିପାଇଁ ଖାସ୍‌ ରହିବ ସ୍ବାଧୀନତା ଦିବସ: ଅଗଷ୍ଟ ୧୫ରେ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଉଡିବ ତ୍ରିରଙ୍ଗା, ଆଉ..

ଟୋରୋଣ୍ଟୋ,୧୪।୮: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ବିଶ୍ୱ ପ୍ରସିଦ୍ଧ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଭାରତୀୟ ତ୍ରୀରଙ୍ଗା ଉଡିବ। ସ୍ବାଧୀନତାର ଏହି ମୂହୁର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଯାଇ ଦୁନିଆର ଏହି ସବୁଠାରୁ ସୁନ୍ଦର ଜଳପ୍ରପାତରେ ପତାକା ଉତ୍ତୋଳନ କରାଯିବ। ଆମେରିକା-କାନାଡ଼ା ସୀମାରେ ଏହା ଅବସ୍ଥିତ। ଅଗଷ୍ଟ ୧୫ ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାଛଡ଼ା କାନାଡ଼ାର ସିଏନ୍‌ ଟାଓ୍ବାର, ଟୋରୋଣ୍ଟୋ ସମେତ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନରେ ଭାରତୀୟ ପତାକା ପ୍ରଦର୍ଶିତ ହେବ।

ଟୋରୋଣ୍ଟୋରେ ଥିବା ଭାରତୀୟ କନ୍‌ସୁଲ୍‌ ଜେନେରାଲ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷ ସ୍ବାଧୀନତା ଦିବସ ବେଶ୍‌ ଖାସ୍‌ ରହିବ। ଏହା ଗର୍ବର କଥା ଯେ ଭାରତୀୟ ଧ୍ୱଜ ନିଆଗ୍ରା ଫଲ୍ସ, ସିଏନ୍‌ ଟାଓ୍ବାର, ଟୋରେଣ୍ଟୋ ଆଦି ସ୍ଥାନରେ ଉଡିବ। କରୋନା ଭୂତାଣୁକୁ ନେଇ ଭାରତୀୟ ସ୍ବତନ୍ତ୍ରତା ଦିବସ ସମାରୋହ ଅନ୍‌ଲାଇନ୍‌ ହେଉଛି। ଏଣୁ ସମସ୍ତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

କାନାଡ଼ାର ଭାରତୀୟ ସମ୍ପ୍ରଦାୟଙ୍କ ପାଇଁ ପ୍ରତିବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହେଉଥିଲେ। ହେଲେ ଚଳିତ ବର୍ଷ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ପରେଡର ବ୍ୟବସ୍ଥା କରାଯାଇଛି। ଏଥିରେ ଭାରତର ବିଭିନ୍ନ ଅଞ୍ଚଳର ସଂସ୍କୃତି ଏବଂ ରୋଷେଇକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯିବ। ସୁରକ୍ଷା ନିୟମ ଏବଂ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଭର୍ଚୁଆଲ କାର୍ଯ୍ୟକ୍ରମ କରିବାର ଯୋଜନା ରହିଥିବା ଶ୍ରୀବାସ୍ତବ କହିଛନ୍ତି।

Share