Categories: ଖେଳ

ସଂସ୍କୃତିରେ ପରିବର୍ତ୍ତନ, ଫିଟ୍‌ନେସ୍‌ର ଉନ୍ନତି ଯୋଗୁ ଭାରତୀୟ ଦ୍ରୁତ ବୋଲିଂରେ ଉନ୍ନତି ହୋଇଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୬।୭: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦ୍ରୁତ ବୋଲିଂରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଭାରତୀୟ ଦ୍ରୁତ ବୋଲିଂ ଏବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌ ଆଟକ ଭାବେ ବିବେଚିତ ହେଉଛି। ତବେ ଏହା ପଛର ରହସ୍ୟ ଖେଳିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଫିଟ୍‌ନେସ୍‌ର ମାନ ଓ କ୍ରିକେଟ ସଂସ୍କୃତିରେ ଆସିଥିବା ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଗାଙ୍ଗୁଲି ବିସିସିଆଇ ଟୁଇଟର ହ୍ୟାଣ୍ଡଲ୍‌ରେ ଟେଷ୍ଟ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିବା ଚାଟ୍‌ ଶୋ’ରେ ଅଂଶଗ୍ରଣ କରି ଗାଙ୍ଗୁଲି କହିଛନ୍ତି।
ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ସମେତ ୫ଜଣ ଭାରତୀୟ ଦ୍ରୁତ ବୋଲର ଏବେ ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ନୂଆରୂପ ଦେଇଛନ୍ତି। ପୂର୍ବରୁ ଭାରତ ସ୍ପିନ୍‌ ବୋଲିଂ ଉପରେ ନିର୍ଭର କରୁଥିଲା। କିନ୍ତୁ ଏବେ ଆଉ ସେକଥା ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି। ଅନ୍ୟ ଦେଶଗୁଡିକ ଭଳି ଭାରତରେ ମଧ୍ୟ ଉଚ୍ଚକୋଟୀର ଦ୍ରୁତ ବୋଲର ସୃଷ୍ଟି ହୋଇପାରିବେ ବୋଲି ଏବେ ଚିନ୍ତା କରାଯାଉଛି। ୧୦୭୦ ଓ ୮୦ ଦଶକରେ ମାଇକେଲ ହୋଲ୍ଡିଂ, ଆଣ୍ଡି ରବଟର୍‌ସ, ମାଲକମ ମାର୍ଶାଲ ଓ ଜୋଏ ଗାର୍ନରଙ୍କ ଭଳି ତାରକା ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟରେ ଆଧିପତ୍ୟ ବିସ୍ତାର କରିଥିଲା। ଏବେ ଭାରତରେ ଏହା ଦେଖିବାକୁ ମିଳିଛି। ଈଶାନ୍ତ ଶର୍ମା, ଉମେଶ ଯାଦବ, ଭୁବନେଶ୍ୱର କୁମାର, ସାମି ଓ ବୁମ୍‌ରାଙ୍କୁ ନେଇ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେ ହେଉଛି ଓ ଏହା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବୋଲି ଗାଙ୍ଗୁଲି କହିଛନ୍ତି। ବର୍ତ୍ତମାନ ଏମାନେ ସମସ୍ତେ ଅନ୍ତର୍ଜାତୀୟ କ୍ରିକେଟରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି। ଫିଟ୍‌ନେସ୍‌ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବୋଲରଙ୍କୁ ବାଦ୍‌ ଦେଲେ ବ୍ୟାଟ୍ସମ୍ୟାନମାନେ ମଧ୍ୟ ପଛଇରେ ପଡିନାହାନ୍ତି।
ପୂର୍ବରୁ ଅବଶ୍ୟ ଜାଭାଗାଲ ଶ୍ରୀନାଥ, ଜାହିର ଖାନ, ଆଶିଷ ନେହରାଙ୍କ ଭଳି ଉଚ୍ଚକୋଟୀର ବୋଲର ଭାରତ ସୃଷ୍ଟି କରିବାରେ ସକ୍ଷମ ହୋଇଛି। କିଛି ଦିନ ତଲେ ଭାରତୀୟ ଦ୍ରୁତ ବୋଲିଂକୁ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଇଆନ ବିସପ ମଧ୍ୟ ତାରିଫ କରିଥିଲେ। ଭାରତୀୟ ଦ୍ରୁତ ବୋଲିଂରେ ବିପ୍ଳବ ଆସିଛି ବୋଲି ସେ କହିଥିଲେ। ଓ୍ବେଷ୍ଟଇଣ୍ଡିଜର ଅଧିବାସୀ ମାନେ ସାଧାରଣତଃ ଶକ୍ତିଶାଳୀ ଓ ଦୃଢ ହୋଇଥାନ୍ତି। କିନ୍ତୁ ଭାରତୀୟମାନେ ସ୍ବତଃପ୍ରବୃତ ଭାବେ ଶକ୍ତିଶାଳୀ ହୋଇ ନ ଥାଉ। କିନ୍ତୁ ଶକ୍ତିଶାଳୀ ହେବା ପାଇଁ ଆମେ କଠିନ ପରିଶ୍ରମ କରି ସଫଳତା ପାଇଛୁ ବୋଲି ସେ କହିଛନ୍ତି। ସଚିନଙ୍କ ସହ ଓପନିଂ କଲା ବେଳେ ଗାଙ୍ଗୁଲି ଏକ ମଜାଦାର କଥା କହିଛନ୍ତି। ସଚିନ ସବୁବେଳେ ପ୍ରଥମ ବଲ୍‌ ଖେଳିବାରୁ ନିଜକୁ ଦୂରେଇ ରଖୁଥିଲେ। ଏଥିପାଇଁ ସେ ଦୁଇଟି ଉତ୍ତର ଦେଉଥିଲେ। ଭଲ ଫର୍ମରେ ଥିଲେ ସେ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ରହିବା ଉଚିତ୍‌ ବୋଲି ସେ କହୁଥିଲେ। ସେହିପରି ଫର୍ମରେ ନ ଥିଲେ ଚାପ କାରଣରୁ ନନ୍‌ ଷ୍ଟ୍ରାଇକର ଏଣ୍ଡ ରହିବା ଉଚିତ୍‌ ବୋଲି ସେ କହୁଥିଲେ। ତେବେ କେତେକ ପରିସ୍ଥିତିରେ ସଚିନ ପ୍ରଥମ ବଲର ସାମ୍ନା କରିଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

Share