Categories: ଖେଳ

ସିଡନୀ ଟେଷ୍ଟ ପାଇଁ ଭାରତ ଏକାଦଶ ଘୋଷଣା: ରୋହିତ ସାମିଲ, ଏହି ଖେଳାଳିଙ୍କୁ ମିଳିଲା ଡେବ୍ୟୁର ସୁଯୋଗ

ସିଡନୀ,୬।୧: ଗୁରୁବାରଠାରୁ ସିଡନୀରେ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ଏକାଦଶ ଘୋଷଣା କରିଛି। ଯୁବ ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି। ସାଇନି ତାଙ୍କର ଟେଷ୍ଟ ଡେବ୍ୟୁ କରିବେ। ଭାରତର ଟି -୨୦ ଏବଂ ଦିନିକିଆ ଦଳରେ ସ୍ଥାନ ହାସଲ କରିଥିବା ସାଇନିଙ୍କୁ ପ୍ରଥମ ଥର ପାଇଁ ଧଳା ଜର୍ସିରେ ଟିମ ଇଣ୍ଡିଆ ପାଇଁ ଖେଳିବେ।

ଅଷ୍ଟ୍ରେଲିଆ ଗସ୍ତରେ ଅସଫଳ ହୋଇଥିବା ଓପନର୍‌ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ ଶର୍ମାକୁ ସାମିଲ କରାଯାଇଛି। ସେ ମେଲବର୍ଣ୍ଣରେ ଡେବ୍ୟୁ କରିଥିବା ଶୁଭମାନ ଗିଲଙ୍କ ସହ ଓପନିଂ କରିବେ। ଏଥିସହିତ ଆହତ ଉମେଶ ଯାଦବଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଏକାଦଶରେ ସ୍ଥାନିତ କରାଯାଇଛି। ଉମେଶଙ୍କ ସ୍ଥାନରେ ଟି ନଟରାଜନଙ୍କୁ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ କରାଯିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ନବଦୀପ ସାଇନିଙ୍କୁ ସୁଯୋଗ ମିଳିଛି। ଏହାଛଡ଼ା ଦୁଇ ସ୍ପିନ ବୋଲର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନ୍‌ ସହ ଭାରତ ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଦ୍ରୁତ ବୋଲିଂର ଦାୟିତ୍ୱ ଜସପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ ଏବଂ ନବଦୀପ ସାଇନିଙ୍କ କାନ୍ଧରେ ରହିବ।

ସିଡନୀ ପରୀକ୍ଷା ପାଇଁ ଭାରତୀୟ ଏକାଦଶ:
ଶୁଭମାନ ଗିଲ, ରୋହିତ ଶର୍ମା (ଉପ-ଅଧିନାୟକ), ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ (ଉଇକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶିନ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ନବଦୀପ ସାଇନି।

Share