ମୁମ୍ବାଇ,୧୧।୩: ଭାରତୀୟ ଷ୍ଟାର ୱିକେଟକିପର ବ୍ୟାଟର ଜୀତେଶ ଶର୍ମା ନିକଟରେ ନିଜ ଜୀବନର ଏକ ବଡ଼ ଦୁଃଖଦ ଖବର ସେୟାର କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍ରେ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା, କିନ୍ତୁ ସେ ଏଥିପାଇଁ ମନଦୁଃଖ କରିନାହାନ୍ତି। କାରଣ ବିଶ୍ୱକପ୍ ଆରମ୍ଭ ହେବାର ମାତ୍ର କିଛି ଦିନ ପୂର୍ବରୁ ତାଙ୍କ ପିତାଙ୍କର ପରଲୋକ ହୋଇଥିଲା।
ଏସିଆ କପ୍ ୨୦୨୫ ପର୍ଯ୍ୟନ୍ତ ଜୀତେଶ ଦଳର ଦ୍ୱିତୀୟ ପସନ୍ଦର ୱିକେଟକିପର ଥିଲେ, କିନ୍ତୁ ଭଲ ଫର୍ମ କାରଣରୁ ଈଶାନ କିଷାନଙ୍କୁ ବିଶ୍ୱକପ୍ ସ୍କ୍ୱାଡ୍ରେ ସ୍ଥାନ ମିଳିଥିଲା।
ଜୀତେଶ ଜଣାଇଛନ୍ତି ଯେ, ଫେବୃଆରୀ ୧ ତାରିଖରେ ତାଙ୍କ ପିତା ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ। ସେ ସମୟରେ ବିଶ୍ୱକପ୍ ଖେଳିବା ଅପେକ୍ଷା ତାଙ୍କ ପିତାଙ୍କୁ ତାଙ୍କର ଅଧିକ ଆବଶ୍ୟକତା ଥିଲା।
ସ୍କ୍ୱାଡ୍ରୁ ବାଦ୍ ପଡ଼ିବା ପରେ ପ୍ରଥମେ ସେ ନିରାଶ ହୋଇଥିଲେ ମଧ୍ୟ ପରେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ। କାରଣ ଏହା ଦ୍ୱାରା ସେ ତାଙ୍କ ପିତାଙ୍କ ଶେଷ ସମୟରେ ତାଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଇଥିଲେ।
ଏକ ସାକ୍ଷାତକାରରେ ଜୀତେଶ କହିଛନ୍ତି, “ମୋ ପିତା ଅସୁସ୍ଥ ଥିଲେ ଏବଂ ତାଙ୍କ ଶେଷ ସମୟରେ ମୁଁ ତାଙ୍କ ପାଖରେ ରହି ତାଙ୍କର ସେବା କରିପାରିଲି, ଏଥିପାଇଁ ମୁଁ କୃତଜ୍ଞ। ମୋର କୌଣସି ଅନୁଶୋଚନା ନାହିଁ।”
ସୂଚନାଯୋଗ୍ୟ ଯେ, ୨୦୨୬ ଟି-୨୦ ବିଶ୍ୱକପ୍ରେ ଭାରତ ଐତିହାସିକ ବିଜୟ ହାସଲ କରି ଚାମ୍ପିୟନ ହୋଇଛି।

