ଚାଇନା ଠକେଇ ର଼୍ୟାକେଟର ଭାରତୀୟ ମୁଖ୍ୟ ଗିରଫ

ଭୁବନେଶ୍ୱର,୧୬।୭ (ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ଭାରତ ସମେତ ବିଭିନ୍ନ ଦେଶରେ ହୋଇଥିବା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସେ ହେଲେ ରାଜସ୍ଥାନ ଭରତପୁର ଜିଲାର ନୀତିନ ମଲ୍ଲିକ। ତାଙ୍କ ପାଖରୁ ଲାପ୍‌ଟପ୍‌, ଚାଇନା ନାଗରିକଙ୍କ ପାସ୍‌ପୋର୍ଟ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି। ସେ ର଼୍ୟାକେଟର ଭାରତୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ଗିରଫ ପରେ ଅଭିଯୁକ୍ତ ନୀତିନ୍‌ଙ୍କୁ ନୂଆଦିଲ୍ଲୀ ତିସ୍‌-ହଜାରି କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନିତିନ୍‌ ଏମ୍‌ଏସ୍‌ ଗୁଡ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ ଲିଃ ଓ ଏମ୍‌ଏସ୍‌ ରାଇଟ୍‌ ଷ୍ଟାର୍ଟ ବିଜନେସ୍‌ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ଅଛନ୍ତି। ଭାରତର ବିଭିନ୍ନ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ମୁମ୍ବାଇ ପୋଲିସ ପାଇଁ ସେ ୱାଣ୍ଟେଡ୍‌ ଥିଲେ।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଶକ୍ତିପ୍ରସାଦ ଦାସ ‘କ୍ରେଡିଟ୍‌ ଗୋଲ୍ଡ’ ଆପ୍‌କୁ ଡାଉନ୍‌ଲୋଡ୍‌ କରିଥିଲେ। ଏହାପରେ ତାଙ୍କ ପାଖକୁ ସଙ୍ଗେ ସଙ୍ଗେ ୯ ହଜାର ଟଙ୍କାର ଲୋନ୍‌ ଆସିଥିଲା। ୪ ଦିନ ପରେ ତାଙ୍କୁ ହ୍ବାଟ୍ସଆପ୍‌ ଦ୍ୱାରା କଲ୍‌ କରାଯାଇ ୧୫ ହଜାର ୬୨୭ ଲୋନ୍‌ ଟଙ୍କା ଭରିବାକୁ କୁହାଯାଇଥିଲା। ସେ ଟଙ୍କା ନ ଦେବାରୁ ତାଙ୍କୁ ବିଭିନ୍ନ ନମ୍ବରରେ କଲ୍‌ କରାଯାଇ ଗାଳିଗୁଲଜ କରାଯାଇଥିଲା। ଏପରିକି ଅଶ୍ଳୀଳ ଫଟୋ ପଠାଇବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଅଭିଯୋଗ ପରେ ଇଓଡବ୍ଲ୍ୟୁ ଜୁଲାଇ ୨ରେ ଏକ ମାମଲା (ନଂ.୧୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ଏହି ଠକେଇ ରାକେଟ ପଛରେ ୩ ଚାଇନା ନାଗରିକ ମାଷ୍ଟରମାଇଣ୍ଡ୍‌ ଅଛନ୍ତି। ସେମାନେ ନିୟମିତ ନୀତିନ୍‌ଙ୍କ ସମ୍ପର୍କରେ ରହି ‘କ୍ରେଡିଟ୍‌ ଗୋଲ୍ଡ’ ଆପ୍‌ ସମେତ ୧୦ଟି ବେଆଇନ୍‌ ଆପ୍‌କୁ ଭାରତରେ ଚଲାଉଛନ୍ତି। ‘କ୍ରେଡିଟ୍‌ ଗୋଲ୍ଡ’ ଆପ୍‌କୁ ଭାରତରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଡାଉନ୍‌ଲୋଡ୍‌ କରିଛନ୍ତି। ତେଣୁ ଲକ୍ଷେରୁ ଉର୍ଦ୍ଧ୍ୱ ଲୋକ ଠକେଇର ଶିକାର ହୋଇଥିବା ଇଓଡବ୍ଲ୍ୟୁ ଅନୁମାନ କରୁଛି। ନୀତିନ ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ ଓ ଭୋଡାଫୋନ ଆଦି ସଂସ୍ଥାରୁ ବହୁ ସିମ୍‌ ଆଣି ଚାଇନା ମାଷ୍ଟରମାଇଣ୍ଡଙ୍କୁ ଦେଉଥିଲେ। ସେମାନେ ଉକ୍ତ ସିମ୍‌ ଦେଇ ଗ୍ରାହକଙ୍କଠଠାରୁ ଟଙ୍କା ଆଦାୟ କରିବାକୁ ବିଭିନ୍ନ ଏଜେଣ୍ଟଙ୍କୁ ନିୟୋଜିତ କରୁଥିଲେ। ନୀତିନ୍‌ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ ଓ ମାଷ୍ଟରମାଇଣ୍ଡଙ୍କୁ ଟଙ୍କା ପଠାଇବା ଦାୟିତ୍ୱରେ ଥିଲେ। ଏଥିପାଇଁ ଚାଇନା ନାଗରିକଙ୍କଠାରୁ ସେ କମିଶନ ଆକାରରେ ବିପୁଳ ଟଙ୍କା ପାଉଥିଲେ।