ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ମାରପିଟ୍, ଭାଇରାଲ ହେଉଛି ଭିଡିଓ

ଅକଲାଣ୍ଡ,୪।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳ ହେଲେ ରୋମାଞ୍ଚ ସହ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳେ । କ୍ରିକେଟ୍‌ ପରେ ଏବେ ବକ୍ସିଂ ରିଙ୍ଗ୍‌ରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଦୁବାଇରେ ଆୟୋଜିତ ଏକ ବକ୍ସିଂ ଇଭେଣ୍ଟରେ ମ୍ୟାଚ୍‌ ପୂର୍ବରୁ ଫେସ୍‌-ଅଫ୍‌ ସମୟରେ ଭାରତୀୟ ବକ୍ସର ମନୀଷ ଶର୍ମା ପାକିସ୍ତାନୀ ବକ୍ସର ରହିମ ପରଦେସୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ସୂଚନା ଅନୁସାରେ, ଦୁବାଇରେ ଆୟୋଜିତ ‘ଫ୍ୟୁରି ବାଏ ଦ ସି’ (Fury by the Sea) ବକ୍ସିଂ ପ୍ରମୋସନାଲ୍‌ ଇଭେଣ୍ଟରେ ଏହି ଘଟଣା ଘଟିଛି। ମ୍ୟାଚ୍‌ ପୂର୍ବରୁ ଆୟୋଜିତ ପ୍ରେସ୍‌ କନ୍‌ଫରେନ୍ସ ସମୟରେ ରହିମ ପରଦେସୀଙ୍କ କଥା ଓ ଆଚରଣ ମନୀଷଙ୍କୁ ଉତ୍ତ୍ୟକ୍ତ କରିଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏହାପରେ ଫେସ୍‌-ଅଫ୍‌ ସମୟରେ ଉଭୟଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ଏହି ସମୟରେ ମନୀଷ ହଠାତ୍‌ ରହିମଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଦୁହେଁ ପରସ୍ପର ସହ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ସୁରକ୍ଷାକର୍ମୀ ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ ।

ଭାରତୀୟ ବକ୍ସର ମନୀଷ ଶର୍ମା ଓ ପାକିସ୍ତାନୀ ବକ୍ସର ରହିମ ପରଦେସୀଙ୍କ ମଧ୍ୟରେ ନଭେମ୍ବର ୬ ତାରିଖରେ ଦୁବାଇର ନିକି ବିଚ୍‌ରେ ମୁକାବିଲା ହେବ । ମନୀଷ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଓ ବକ୍ସର ଭାବେ ପରିଚିତ । ଗୁରୁଗ୍ରାମର ବାଦଶାହପୁରରେ ଜନ୍ମିତ ମନୀଷ ୨୦୧୩ରେ ‘ହାଫ୍‌ ଇଞ୍ଜିନିୟର’ ନାମରେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ କରିଥିଲେ।

ସେହିପରି ରହିମ ପରଦେସୀ ପାକିସ୍ତାନର ଜଣେ ଚର୍ଚ୍ଚିତ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ଓ ବକ୍ସର। ମୁକାବିଲା ପୂର୍ବରୁ ଘଟିଥିବା ଏହି ଘଟଣା ପରେ ନଭେମ୍ବର ୬ର ଫାଇଟ୍‌କୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢ଼ିଛି।

 

Dharitri – Odisha’s No.1 Odia Daily

Share