Categories: ଜାତୀୟ

ଫିଙ୍ଗର-୪ରେ ଭାରତୀୟ ସେନା

ଲେହ, ୧୦।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ ସଂଖ୍ୟକ ଯବାନକୁ ସଜାଗ ରଖିଛି। ଏବେ ଭାରତୀୟ ସେନା ଫିଙ୍ଗର-୪ରେ ନିଜର ସ୍ଥିତି ସୁଦୃଢ଼ କରିଛି। ଭାରତୀୟ ସେନା କବ୍‌ଜାରେ ଥିବା ଗୁରଙ୍ଗ୍‌ ହିଲ୍‌, ମଗର ହିଲ୍‌, ମୁଖପରି ଏବଂ ରେଚିନ୍‌ ଲା କ୍ୟାମ୍ପ୍‌ ଚାରିପଟେ ସୁରକ୍ଷା ଦୃଷ୍ଟିରୁ କଣ୍ଟା ତାର ବାଡ଼ ଦିଆଯାଇଛି। ଚାଇନାର କୌଣସି ସୈନ୍ୟ କଣ୍ଟା ତାରବାଡ଼ ଅତିକ୍ରମ କରିବାର ଉଦ୍ୟମ କଲେ ଅବା ଏହାକୁ ଭଙ୍ଗାଭଙ୍ଗି କଲେ ଏହାର କଡ଼ା ଜବାବ ସାମରିକ ଭାଷାରେ ଦିଆଯିବ ବୋଲି ଭାରତୀୟ ଯବାନ ଚେତାବନୀ ଦେଇଛନ୍ତି। ବ୍ରିଗେଡିୟରସ୍ତରୀୟ ବୈଠକରେ କୌଣସି ସମାଧାନର ପଥ ବାହାରୁ ନ ଥିବାରୁ ଏବେ କମାଣ୍ଡରସ୍ତରୀୟ ବୈଠକ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଲେହରେ ଭାରତୀୟ ବାୟୁସେନା ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଛି। ସେହିପରି ଦିନରେ ମଧ୍ୟ ବାୟୁସେନା ବିମାନ ପଇଁତରା ମାରୁଛି। ପୂର୍ବ ଲଦାଖର ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଏଠାରେ ଚାଇନାର ୩୦ରୁ ୪୦ ସୈନ୍ୟ ରେଜାଙ୍ଗ୍‌-ଲା ରିଜ୍‌ଲାଇନ୍‌ରେ ଜମା ହୋଇ ରହିଛନ୍ତି। ଏହାଯୋଗୁ ଭାରତୀୟ ସେନାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Share