Categories: ଜାତୀୟ

ଏଲଏସିରେ ଭାରତୀୟ ବାୟୁସେନା ପକ୍ଷରୁ ହେବ ସମରାଭ୍ୟାସ ‘ପ୍ରଳୟ’…

ନୂଆଦିଲ୍ଲୀ,୨୧।୧ : ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ ଯାଉଛି। ଏହାର ନାମ ‘ପ୍ରଳୟ’ ରଖାଯାଇଛି। ବାୟୁସେନା ସୂତ୍ରରୁ ଜଣାପଡିଛି ଯେ ସମସ୍ତ ପ୍ରମୁଖ ଏୟାରବେସର ସହଯୋଗରେ ଏହା କରାଯିବ। ନିକଟରେ ନିୟୋଜିତ ହୋଇଥିବା ଡ୍ରୋନସ୍କ୍ବାଡ୍ରନ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବ।

ଭାରତୀୟ ବାୟୁସେନା ପୂର୍ବ ସେକ୍ଟରରେ ଏସ୍‌-୪୦୦ ଏୟାର ଡିଫେନ୍ସ ପ୍ରଣାଳୀ ନିୟୋଜିତ ଏବଂ ସକ୍ରିୟ କରିଛି, ଯାହା ୪୦୦ କିଲୋମିଟର ମଧ୍ୟରେ କୌଣସି ଶତ୍ରୁ ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ଦୂରରୁ ନଷ୍ଟ କରିବାକୁ ସକ୍ଷମ। ଦୁନିଆର ବହୁତ କମ ଦେଶରେ ଏହି ପ୍ରକାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଛି। ରୁଷିଆ ସହିତ ଶହେ କୋଟି ଡଲାରରେ ଭାରତ ଏହି ଚୁକ୍ତି କରିଛି।
ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ବାୟୁସେନାର ପ୍ରଳୟ ସମରାଭ୍ୟାସରେ ପରିବହନ ଏବଂ ଅନ୍ୟାନ୍ୟ ବିମାନ ସହିତ ରାଫେଲ ଓ ସୁଖୋଇ-୩୦ ଯୁଦ୍ଧ ବିମାନ ଯୋଗଦେବେ। ଗତ କିଛି ମାସ ମଧ୍ୟରେ ଭାରତୀୟ ବାୟୁସେନା ଦ୍ୱାରା ଏହା ହେଉଛି ଦ୍ୱିତୀୟ କମାଣ୍ଡ ସ୍ତରୀୟ ସମରାଭ୍ୟାସ।

ନିକଟରେ ଭାରତୀୟ ବାୟୁସେନା ସିକ୍କିମ ଏବଂ ସିଲିଗୁଡି କରିଡୋର ସେକ୍ଟରରେ ଶତ୍ରୁ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏହାର କ୍ଷମତା ବଢ଼ାଇବା ପାଇଁ ଅନ୍ୟ ବେସରୁ ଡ୍ରୋନର ଏକ ସ୍କ୍ବାଡ୍ରନ ଉତ୍ତର-ପୂର୍ବକୁ ସ୍ଥାନାନ୍ତର କରିଥିଲା।

Share