Categories: ଖେଳ

ସୂର୍ଯ୍ୟଙ୍କ ଫର୍ମକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ,୨୪ା୩ (ପି.ଟି.):ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ପରାଜିତ ହୋଇଛି ଭାରତ। ଅକ୍ଟୋବର-ନଭେମ୍ବରରେ ଦିନିକିଆ କ୍ରିକେଟ ବିଶ୍ୱକପ ରହିଥିବା ବେଳେ ଭାରତର ଏଭଳି ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ଉପରେ ଆସିଛି ସବୁଠୁ ଅଧିକ ପ୍ରଶ୍ନବାଚୀ। ସୂର୍ଯ୍ୟକୁମାର ଯାଦବ ୩ଟି ଯାକ ମ୍ୟାଚରେ ଗୋଲ୍ଡେନ୍‌ ଡକ୍‌ରେ ଆଉଟ ହେବା ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଥମ ଦୁଇ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ବଲ ରିଭର୍ସ ସୁଇଁ ହୋଇଥିଲା। ତେବେ ଚେନ୍ନାଇର ଚେପକ୍‌ରେ ଖେଳା ଯାଇଥିବା ଅନ୍ତିମ ଦିନିକିଆରେ ଏକ ସାଧାରଣ ବଲରେ ସେ ଆଉଟ ହୋଇଥିଲେ। ଫ୍ରଣ୍ଟଫୁଟ୍‌ରେ ଖେଳିବା ବଲ୍‌କୁ ସେ ବ୍ୟାକ୍‌ଫୁଟ୍‌ରେ ଖେଳିବାକୁ ପ୍ରୟାସ କରି ବୋଲ୍ଡ ହୋଇଥିଲେ। ଏହି ଆଉଟକୁ ଦେଖିଲେ ସେ କେତେ ଚାପରେ ବ୍ୟାଟିଂ କରୁଛନ୍ତି ତାହା ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ସମୟରେ ନିଜର ଏହି ଦୁର୍ବଳତା ଉପରେ କାମ କରି ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବେ ସୂର୍ଯ୍ୟକୁମାର। ଅନ୍ୟପକ୍ଷରେ ଭାରତର ନିୟମିତ ୪ ନମ୍ବର ଖେଳାଳି ରହିଥିବା ଶ୍ରେୟସ୍‌ ଆୟାରଙ୍କ ଫିଟ୍‌ନେସ୍‌ ବଡ ସମସ୍ୟା ରହିଥିବା ବେଳେ ସର୍ଟ ପିଚ୍‌ ବୋଲିଂ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନୁହେଁ। ତେବେ ଆୟାରଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ନିୟମିତ ସୁଯୋଗ ଦେଇଥିଲା। ସମାନ ଢଙ୍ଗରେ ସୂର୍ଯ୍ୟକୁମାରଙ୍କୁ ମଧ୍ୟ ସୁଯୋଗ ମିଳିବା ଉଚିତ୍‌।
ଲୋକେଶ ରାହୁଲ ଓ ସଞ୍ଜୁ ସାମସନ୍‌: ଅନ୍ୟତମ ପ୍ରତିଭାବାନ ଉଇକେଟ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିବା ସମଗ୍ର ଦେଶରେ ଦାବି ଉଠୁଛି। ଅନ୍ୟ ପକ୍ଷରେ ଭାରତୀୟ ମ୍ୟାନେଜମେଣ୍ଟ ଲୋକେଶ ରାହୁଲଙ୍କୁ ସୁଯୋଗ ପରେ ସୁଯୋଗ ପ୍ରଦାନ କରି ଚାଲିଛି। ଚଳିତ ସିରିଜରେ ରାହୁଲ ଭାରତର ଟପ୍‌ ସ୍କୋରର ରହିଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଆପ୍ରୋଚ୍‌ ଅତ୍ୟନ୍ତ ଧୀମା ରହୁଛି। ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍‌ କରିଥିବା ବେଳେ ଏହା ଏକ ଲୋ ସ୍କୋରିଂ ମ୍ୟାଚ୍‌ ରହିଥିଲା। ତୃତୀୟ ମ୍ୟାଚରେ ୨୭୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ବେଳେ ରାହୁଲ ୫୦ ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ୪୪ ବଲ ପର୍ଯ୍ୟନ୍ତ ରାହୁଲଙ୍କ ବ୍ୟାଟରୁ ଗୋଟିଏ ବି ବାଉଣ୍ଡାରୀ ଆସି ନଥିଲା ଯାହା ପରୋକ୍ଷରେ ଦଳ ଉପରେ ଚାପ ସୃଷ୍ଟି କରିଥିଲା। ୩୦୦ରୁ ଅଧିକ ରନ୍‌ର ପିଛା କରୁଥିବା ସମୟରେ ରାହୁଲଙ୍କ ଆଭରେଜ୍‌ ଖରାପ ରହିଥିବା ବେଳେ ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ସାମସନ୍‌ଙ୍କୁ ସୁଯୋଗ ମିଳିବା ଉଚିତ୍‌। ରଜତ ପଟିଦାରଙ୍କ ରୂପରେ ମ୍ୟାନେଜମେଣ୍ଟ ନିକଟରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି। ଆସନ୍ତା ବିଶ୍ୱକପରେ ପିଚ୍‌ ଗୁଡିକ କିଭଳି ରହିବ ତାହାକୁ ନେଇ ଆଶଙ୍କା ରହିଛି। ଏହି ପିଚ୍‌ ଗୁଡିକ ଅକ୍ଟୋବର ମାସରେ କିଭଳି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା।

Share