Categories: ଖେଳ

ଲଡର୍‌ସ ଟେଷ୍ଟ ଜିତିଲା ଇଣ୍ଡିଆ

ଲଡର୍‌ସ,୧୬।୮: ପ୍ରଥମ ଟେଷ୍ଟରେ ବର୍ଷା ଇଂଲଣ୍ଡକୁ ବଞ୍ଚାଇ ଦେଇଥିଲା। କିନ୍ତୁ କ୍ରିକେଟର ଅନ୍ତୁଡିଶାଳ କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୧ ରନ୍‌ରେ ହରାଇ ଦେଇଛି।

୨୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଘରୋଇ ଦଳ ୫୧.୫ ଓଭରରେ ୧୨୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଏକଦା ୬୭ ରନ୍‌ରେ ୫ଟି ଏବଂ ୯୦ ରନ୍‌ରେ ୭ମ ଉଇକେଟ ହରାଇ ଇଂଲଣ୍ଡ ବିପଦରେ ପଡ଼ିଥିଲେ ହେଁ ଜୋସ ବଟଲର ଲଢ଼େଇ କରି ଭାରତ ବିଜୟକୁ ବିଳମ୍ବିତ କରିଥିଲେ। ତେବେ ବଟଲର ୯୬ ବଲ୍‌ରୁ ୨୫ ରନ୍‌ କରି ଆଉଟ ହେବାସହ ଭାରତ ବିଜୟ ଏକପ୍ରକାର ନିଶ୍ଚିତ ହୋଇଥିଲା। ଏହି ଟେଷ୍ଟରେ ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଭାରତ ପ୍ରଥମ ଇନିଂସରେ ୩୬୪ ରନ୍‌ କରିଥିବା ବେଳେ ଇଂଲଣ୍ଡ ୩୯୧ ରନ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ଭାରତ ଏହାର ଦ୍ୱିତୀୟ ଇନିଂସକୁ ୨୯୮/୮ରେ ଘୋଷଣା କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି, ଯଶପ୍ରୀତ୍‌ ବୁମରା ୩ଟି, ଈଶାନ୍ତ ଶର୍ମା ୨ଟି ଓ ମହମ୍ମଦ ସାମି ଗୋଟିଏ ଉଇକେଟ ନେଇଥିଲେ।

Share