ପୁଣି ଟସ୍‌ ଜିତିଲା ଭାରତ: ଶୁବମନ ଗିଲ ନେଲେ ବଡ଼ ନିଷ୍ପତ୍ତି, ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ଇଣ୍ଡିଆ

ହାମିଲଟନ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ତୃତୀୟ ମୁକାବିଲା ଆଜି ହାମିଲଟନରେ ଖେଳାଯାଉଛି। ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ ହୋଇଥିଲେ ମଧ୍ୟ ଶେଷରେ ଭାରତ ଟସ ଜିତିଛି। ଅଧିନାୟକ ଶୁବମନ ଗିଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ଗୋଟିଏ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି।
ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ତେଣୁ ତୃତୀୟ ମ୍ୟାଚ ଜିତି ସିରିଜ ନିଜ ନାମରେ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି। ସିରିଜ୍‌ରେ ରହିବାକୁ ହେଲେ ଘରୋଇ ଦଳକୁ ଏହି ମ୍ୟାଚ ଜିତିବାକୁ ପଡ଼ିବ। ଏହି ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଗିଲ ଭାରତର ନେତୃତ୍ୱ ନେଉଛନ୍ତି। ଆଗାମୀ ଦୁଇଟି ମ୍ୟାଚ୍‌ରେ ଶ୍ରେୟସ ଆୟର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଏହାପରେ ଗିଲ ଟେଷ୍ଟ ସିରିଜ୍‌ର ପ୍ରସ୍ତୁତିରେ ଲାଗିବେ।

ସିରିଜ୍‌ର ପ୍ରଥମ ମ୍ୟାଚ ଅକଲାଣ୍ଡରେ ଖେଳାଯାଇଥିଲା। ବର୍ଷା କାରଣରୁ ମ୍ୟାଚକୁ ୩୨ ଓଭରକୁ ହ୍ରାସ କରାଯାଇଥିଲା। ଭାରତ ସମ୍ମୁଖରେ ୧୪୩ ରନ୍‌ର ଲକ୍ଷ୍ୟ ରହିଥିଲା, ଯାହାକୁ ଦଳ ୫ ଉଇକେଟ ହରାଇ ସହଜରେ ହାସଲ କରିଥିଲା।

ସେହିପରି ୱେଲିଂଟନ୍‌ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ ମଧ୍ୟ ବର୍ଷା ଯୋଗୁ ପ୍ରଭାବିତ ହୋଇଥିଲା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୩୪ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଭାରତ ୧୧୩ ରନ କରିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଡିଏଲଏସ ନିୟମ ଅନୁସାରେ ଭାରତ ୪ ରନ୍‌ରେ ବିଜୟୀ ହୋଇଥିଲା।

ଭାରତ: ରୋହିତ ଶର୍ମା, ଶୁବମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ଉଇକେଟକିପର), ନମନ ଧୀର, ଅଂଶୁଲ କମ୍ବୋଜ, ଆକିବ ନବୀ, ଗୁରନୂର ବରାଡ଼ ଓ ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ:ୱିଲ ୟଙ୍ଗ, ଟିମ ସିଫର୍ଟ, ହେନରୀ ନିକୋଲ୍ସ, ଡାରିଲ ମିଚେଲ, ଟମ ଲାଥମ (ଉଇକେଟକିପର), ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍‌ (ଅଧିନାୟକ), ନାଥନ ସ୍ମିଥ, କାଇଲ ଜାମିସନ, ଜାକବ ଡଫି ଓ ମାଥ୍ୟୁ ଫିସର୍।

 

Dharitri – Odisha’s No.1 Odia Daily

 

Share