Categories: Uncategorized

ଭାରତ ସିରିଜ୍‌ ବିଜୟୀ

ପୋର୍ଟ ଅଫ୍‌ ସ୍ପେନ୍‌, ୨୫ା୭: ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତୀୟ ଦଳ ଟେଷ୍ଟ ସିରିଜକୁ ଜିତି ନେଇଛି। ଅନ୍ତିମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହେବାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ପୋର୍ଟ ଅଫ୍‌ ସ୍ପେନ୍‌ରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିବସରେ ବର୍ଷା ବାଧକ ସାଜିଥିଲା। ଅନ୍ତିମ ଦିନରେ ଭାରତକୁ ବିଜୟ ପାଇଁ ୮ ଉଇକେଟ ଆବଶ୍ୟକ ଥିବା ବେଳେ ବର୍ଷା କାରଣରୁ ଗୋଟିଏ ବି ବଲ୍‌ ପଡିବା ସମ୍ଭବ ହୋଇ ନ ଥିଲା। ସମ୍ପୂର୍ଣ୍ଣ ପ୍ରଥମ ସେସନ୍‌ ଖେଳ ଧୋଇ ଯାଇଥିବା ବେଳେ ଲଞ୍ଚ ପରେ ଖେଳ ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା। ତେବେ ଲଞ୍ଚ ପରେ ପୁଣି ଥରେ ବର୍ଷା ହେବା କାରଣରୁ ଖେଳ ସମ୍ଭବ ହୋଇ ନ ଥିଲା। ଏହା ମଧ୍ୟରେ ବର୍ଷା ଅନେକ ଥର ଲୁଚକାଳି ଖେଳିବା ସହିତ ଖେଳ ଆରମ୍ଭର ସମ୍ଭାବନା ସୃଷ୍ଟି ହୋଇଥିଲା। ଏହା ସହିତ ୨୦ ବର୍ଷ ଧରି ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅପରାଜେୟ ରହିଛି ଭାରତ। କ୍ରମାଗତ ନବମ ସିରିଜ୍‌ ଉପରେ କବ୍‌ଜା କରିଛି ଭାରତ। ଶେଷ ଥର ପାଇଁ ଦଳ ୨୦୦୨ରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଭାରତ ୨-୧ରେ ହାରିଥିବା ବେଳେ ପରବର୍ତ୍ତୀ ୯ଟି ଯାକ ସିରିଜ୍‌ ଓ ୨୫ ମ୍ୟାଚ ଭାରତୀୟ ଦଳ ଜିତି ନେଇଛି। ଚତୁର୍ଥ ଦିନରେ ଭାରତ ୧୧୮/୨ରେ ଇନିଂସ ଘୋଷଣା କରିବା ସହିତ ଓ୍ବେଷ୍ଟଇଣ୍ଡିଜ ଆଗରେ ୩୬୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଚତୁର୍ଥ ଦିନର ଷ୍ଟମ୍ପସ ସୁଦ୍ଧା ଘରୋଇ ଦଳ ୨ ଉଇକେଟରେ ୭୬ ରନ କରିଥିବା ବେଳେ ଅନ୍ତିମ ଦିନରେ ଗୋଟିଏ ବି ବଲ୍‌ ପଡିବା ସମ୍ଭବ ହୋଇ ନ ଥିଲା।