Categories: ଖେଳ

୬.୩ ଓଭରରେ ମ୍ୟାଚ୍‌ ଶେଷ କଲା ଭାରତ

ଦୁବାଇ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ସେମିଫାଇନାଲରେ ସ୍ଥାନ ପକ୍କା କରିବା ଆଶା ଉଜ୍ଜୀବିତ ରଖିଛି ଟିମ୍‌ ଇଣ୍ଡିଆ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ପକ୍ଷରୁ ୮୬ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟକୁ ହାସଲ କରିବାର ଥିଲା ୭.୧ ଓଭରରେ। କିନ୍ତୁ ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପିନଂ ଯୋଡ଼ି ଧୂଆଁଦାର ବ୍ୟାଟିଂ ଯୋଗୁ ଟିମ୍‌ ଇଣ୍ଡିଆ ଆବଶ୍ୟକତାଠାରୁ ଯଥେଷ୍ଟ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ରାହୁଲ ୧୯ ବଲରେ ୫୦ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୬ ଚୌକା ଓ ୩ ଛକା। ସେହିଭଳି ୫ ଚୌକା ଓ ୧ ଛକା ସହାୟତାରେ ୧୬ ବଲରେ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ ରୋହିତ। ତା’ ପରେ ସୂର୍ଯ୍ୟକୁମାର ଯାଦବ ଛକା ଲଗାଇ ଭାରତକୁ ବିଜୟ ଭେଟି ଦେଇଥିଲେ। ଫଳରେ ୬.୩ ଓଭରରେ ୨ ଉଇକେଟ କ୍ଷତିରେ ୮୯ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା ଭାରତ। ଅନ୍ତର୍ଜାତୀୟ ଟି୨୦ ଇତିହାସରେ ଏହା ଭାରତର ସବୁଠୁ ବଡ଼ ବିଜୟ। ପୂର୍ବରୁ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି ୩ ଲେଖାଏ ଉଇକେଟ ନେଇ ସ୍କଟଲାଣ୍ଡକୁ ୧୭.୪ ଓଭରରେ ୮୫ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲେ।

ବିଜୟ ସହ ସୁପର-୧୨ ପର୍ଯ୍ୟାୟରେ ଗ୍ରୁପ୍‌ ୨’ରେ ଭାରତକୁ ତୃତୀୟ ସ୍ଥାନକୁ ଉଠିଛି। ଏବେ ଟିମ୍‌ ଇଣ୍ଡିଆର ନେଟ୍‌ ରନରେଟ୍‌ +୧.୬୧୯ରେ ପହଞ୍ଚିଛି, ଯାହାକି ଗ୍ରୁପ୍‌ରେ ସର୍ବାଧିକ।

Share