ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇପାରେ ବୋଲି ଆମେରିକୀୟ ଅର୍ଥଶାସ୍ତ୍ରୀ ଜେଫ୍ରି ସାକ୍ସ କହିଛନ୍ତି। ସାମ୍ପ୍ରତିକ ପରିପ୍ରେକ୍ଷୀରେ ବୈଶ୍ୱିକ ଅର୍ଥନୀତିର କେନ୍ଦ୍ରବିନ୍ଦୁ ନିଶ୍ଚିତ ଭାବେ ଏସିଆ ଆଡ଼କୁ ଗତି କରୁଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ତଥା ଭାରତ-ଚାଇନା ମଧ୍ୟରେ ସୁଦୃଢ଼ ସମ୍ପର୍କ ପ୍ରତିଷ୍ଠାକୁ ସମର୍ଥନ କରିଆସିଥିବା ସାକ୍ସ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଏହି ଦୁଇ ଏସୀୟ ମହାଶକ୍ତି ଆସନ୍ତା ୨୫ ବର୍ଷରୁ କମ୍ ସମୟ ମଧ୍ୟରେ ବିଶ୍ୱର ଦୁଇଟି ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛନ୍ତି, ଯେଉଁଥିରେ ଆମେରିକା ତୃତୀୟ ସ୍ଥାନକୁ ଖସିଯିବ। ଏହି ଶତାବ୍ଦୀର କୌଣସି ଏକ ସମୟରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ପାଲଟିବ। ସେ କହିଛନ୍ତି ଯେ, ଭାରତ ଅନ୍ୟ ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ତୁଳନାରେ ଅଧିକ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରୁଛି ଏବଂ ଚାଇନା ସହିତ ଅଧିକ ନିବିଡ଼ ଆର୍ଥିକ ତଥା ପ୍ରଯୁକ୍ତିବିଦ୍ୟାଗତ ସହଭାଗିତା ମାଧ୍ୟମରେ ଏହି ଗତିକୁ ଆହୁରି ତ୍ୱରାନ୍ବିତ କରିପାରିବ।
ଚାଇନାର ଜନସଂଖ୍ୟା ତୁଳନାରେ ଭାରତର ଜନସଂଖ୍ୟାଭିତ୍ତିକ ସୁବିଧାକୁ ମଧ୍ୟ ସାକ୍ସ ସୂଚାଇଛନ୍ତି। ବର୍ତ୍ତମାନ ଭାରତର ଜନସଂଖ୍ୟା ପ୍ରାୟ ୧୫୦ କୋଟି ରହିଥିବାବେଳେ ଚାଇନାର ଜନସଂଖ୍ୟା ୧୪୦ କୋଟି ରହିଛି। କିନ୍ତୁ ଚାଇନାର ଜନସଂଖ୍ୟା ହ୍ରାସ ପାଉଛି ଏବଂ ଭାରତ ପରବର୍ତ୍ତୀ ସମୟରେ ସର୍ବାଧିକ ଜନବହୁଳ ଦେଶ ହୋଇପାରେ ବୋଲି ସେ କହିଛନ୍ତି। ଭାରତ ଅତି ଦ୍ରୁତ ବିକାଶ ପଥରେ ଗତି କରୁଥିବାରୁ ଆଗାମୀ ଦିନରେ ଏକ ବୃହତ୍ ଦେଶରେ ପରିଣତ ହେବାକୁ ଯାଉଥିବା ସାକ୍ସ କହିଛନ୍ତି।