ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ ବ୍ୟକ୍ତି ଗ୍ରାମାଞ୍ଚଳରେ ବାସ କରିବେ ବୋଲି ଶୁକ୍ରବାର ପ୍ରକାଶିତ ଏକ ଗବେଷଣାରୁ ଜଣାପଡ଼ିଛି। ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ (ଟିଆର୍‌ଆଇ) ଦ୍ୱାରା ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଅନେକ ବିକଶିତ ଦେଶ ସେମାନଙ୍କର ଜନସଂଖ୍ୟା ବୃଦ୍ଧି ହେବା ପୂର୍ବରୁ ଧନୀ ହୋଇଥିବା ବେଳେ ଭାରତ ଧନୀ ହେବା ପୂର୍ବରୁ ହିଁ ବୁଢ଼ା ହେବାକୁ ଯାଉଛି।
ଉଲ୍ଲେଖଯୋଗ୍ୟ, ଟିଆର୍‌ଆଇ (ଟ୍ରାନ୍ସଫର୍ମିଂ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ ବା ଟିଆର୍‌ଆଇଏଫ୍‌ ଭାବରେ ମଧ୍ୟ ଜଣାଶୁଣା) ଏକ ଅଣଲାଭଦାୟକ ବେସରକାରୀ ସଂସ୍ଥା। ଏହା ଟାଟା ଟ୍ରଷ୍ଟ ଓ ଅନ୍ୟାନ୍ୟ ପ୍ରମୁଖ ବେସରକାରୀ ସଙ୍ଗଠନ ଦ୍ୱାରା ମିଳିତ ଭାବେ ଗଠିତ। ଏହାର ମୁଖ୍ୟାଳୟ ନୂଆଦିଲ୍ଲୀରେ ଥିବାବେଳେ ଏହା ଦେଶ ଏବଂ ଅନ୍ତର୍ଜାତୀୟ ପରୋପକାରୀ ପ୍ରତିଷ୍ଠାନ, କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠି ଏବଂ ବୃହତ୍‌ ଅଣଲାଭକାରୀ ସଂଗଠନ ଦ୍ୱାରା ଆର୍ଥିକ ସହାୟତା ପାଇଥାଏ।
ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଉପଲବ୍ଧ କାର୍ଯ୍ୟକ୍ଷମ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୨୦୦୧ ମସିହାରେ ୮.୪ ଥିବାବେଳେ ୨୦୨୬ ସୁଦ୍ଧା ଏହା ହାରାହାରି ୫.୨କୁ ହ୍ରାସ ପାଇବ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ‘ଡେମୋଗ୍ରାଫିକ ଟ୍ରାଞ୍ଜିଶନ, ଇଭଲ୍‌ଭିଙ୍ଗ ଫ୍ୟାମିଲିଜ ଆଣ୍ଡ୍‌ ଦ ଫ୍ୟୁଚର ଅଫ ଦ କେୟାର ଇକୋସିଷ୍ଟମ ଇନ୍‌ ରୁରାଲ ଇଣ୍ଡିଆ’ (ଜନସଂଖ୍ୟାଗତ ପରିବର୍ତ୍ତନ, ବିକାଶମୁଖୀ ପରିବାର ଏବଂ ଗ୍ରାମୀଣ ଭାରତରେ ଯତ୍ନ ବ୍ୟବସ୍ଥାର ଭବିଷ୍ୟତ) ଶୀର୍ଷକ ଏହି ରିପୋର୍ଟ ଟିଆର୍‌ଆଇର ‘ଇଣ୍ଡିଆ ରୁରାଲ କଲୋକ୍ୟୁ’ (ଆଇଆର୍‌ସି) ଅବସରରେ ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ୨୦୫୦ ସୁଦ୍ଧା, ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଅର୍ଥାତ୍‌ ପ୍ରାୟ ୩୪୭ ନିୟୁତ (୩୪.୭ କୋଟି) ଲୋକ ୬୦ ବର୍ଷରୁ ଅଧିକ ବୟସର ହେବେ, ଯେଉଁଥିରେ ପ୍ରାୟ ୧୦ ଜଣ ବୟସ୍କଙ୍କ ମଧ୍ୟରୁ
୭ ଜଣ ଗ୍ରାମାଞ୍ଚଳରେ ରହୁଥିବେ। ଜନସଂଖ୍ୟା ବୃଦ୍ଧ ହେବା ପୂର୍ବରୁ ଧନୀ ହୋଇଥିବା ଅନେକ ବିକଶିତ ଦେଶ ପରି ନୁହେଁ, ବରଂ ଭାରତ ବହୁତ କମ୍‌ ଆୟ ସ୍ତରରେ ଏହି ଜନସଂଖ୍ୟାଗତ ପରିବର୍ତ୍ତନ ଦେଇ ଗତି କରୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଚ୍‌ଏଫ୍‌ଏସ୍‌), ଲଙ୍ଗିଚ୍ୟୁଡିନାଲ ଏଜିଙ୍ଗ୍‌ ଷ୍ଟଡି ଇନ୍‌ ଇଣ୍ଡିଆ (ଏଲ୍‌ଏଏସ୍‌ଆଇ), ଜନଗଣନା ଆକଳନ, ଟାଇମ ୟୁଜ ସର୍ଭେ ଏବଂ ଅନ୍ୟାନ୍ୟ ଜାତୀୟ ତଥ୍ୟକୁ ଆଧାର କରି ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତର ପାରମ୍ପରିକ ପରିବାରଭିତ୍ତିକ ଯତ୍ନ ମଡେଲ ଉପରେ ଚାପ ବଢ଼ୁଛି, କାରଣ ପୂର୍ବ ଅପେକ୍ଷା ପରିବାରଗୁଡ଼ିକ ଛୋଟ ହେବାରେ ଲାଗିଛି, ଯୁବପିଢ଼ି କାମ ପାଇଁ ବାହାରକୁ ଚାଲିଯାଉଛନ୍ତି ଏବଂ ଲୋକମାନେ ଦୀର୍ଘ ଦିନ ଧରି ବଞ୍ଚୁଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ତଥାପି ବୟସ୍କ ଲୋକଙ୍କ ଯତ୍ନର ପ୍ରାୟ ୯୪ ପ୍ରତିଶତ ଏବେ ବି ଘର ମଧ୍ୟରେ ହିଁ ପ୍ରଦାନ କରାଯାଉଛି, ଯାହାଫଳରେ ବଢ଼ୁଥିବା ଏବଂ ଜଟିଳ ଯତ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ପରିବାର ସଦସ୍ୟଙ୍କ ସଂଖ୍ୟା କମ୍‌ ରହୁଛି। ଏହି ଅଧ୍ୟୟନ ଅନୁଯାୟୀ, ମହିଳାମାନେ ପ୍ରତିଦିନ ପ୍ରାୟ ୩୦୫ ମିନିଟ ବିନା ମଜୁରିର ଯତ୍ନ କାର୍ଯ୍ୟରେ ବିତାଉଥିବା ବେଳେ ପୁରୁଷମାନେ ମାତ୍ର ୫୬ ମିନିଟ ସମୟ ଦିଅନ୍ତି। ଏହି ଅସମାନ ଅବଦାନ ମହିଳାମାନଙ୍କ ଶ୍ରମ ଶକ୍ତିରେ ଅଂଶଗ୍ରହଣକୁ ବୃଦ୍ଧି କରିବା ଦିଗରେ ଏକ ବଡ଼ ପ୍ରତିବନ୍ଧକ ହୋଇରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସ୍ଥିତି ଆହୁରି ଖରାପ ହେଉଛି, ଯେଉଁଥିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟା ମହିଳାମାନଙ୍କର ବିନା ମଜୁରିର କାର୍ଯ୍ୟଭାରକୁ ଯଥେଷ୍ଟ ବଢ଼ାଇ ଦେଉଛି। ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ ଦୁଇ-ତୃତୀୟାଂଶ ମୃତ୍ୟୁ ଏବେ ଅଣ-ସଂକ୍ରାମକ ରୋଗ ଯେପରିକି ମଧୁମେହ, ହୃଦ୍‌ରୋଗ ଏବଂ କର୍କଟ ଯୋଗୁ ହେଉଛି। ସେହିପରି ରୋଗର ଏକ ବଡ଼ ଭାଗ ଅକାଳ ମୃତ୍ୟୁ ଅପେକ୍ଷା ଅକ୍ଷମତା ସହ ବଞ୍ଚତ୍ବା କାରଣରୁ ଆସୁଛି। ଅଧ୍ୟୟନରେ କୁହାଯାଇଛି ଯେ, ଭାରତର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ମୁଖ୍ୟତଃ ଶିଶୁ ଜନ୍ମ, ପ୍ରତିଷେଧକ ଟିକାକରଣ ଏବଂ ଜରୁରିକାଳୀନ ଅସୁସ୍ଥତା ଭଳି ସାମୟିକ ଆବଶ୍ୟକତାକୁ ନେଇ ପ୍ରସ୍ତୁତ କରାଯାଇଥିଲା। ସ୍ବାସ୍ଥ୍ୟସେବାର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଦୀର୍ଘସ୍ଥାୟୀ ରୋଗ, ଅକ୍ଷମତା ଏବଂ ବାର୍ଦ୍ଧକ୍ୟର ସମସ୍ୟା ସହିତ ବଞ୍ଚୁଥିବା ଲୋକଙ୍କୁ ସାହାଯ୍ୟ କରିବା ଯାହା କେବଳ ଡାକ୍ତରଖାନା ଦ୍ୱାରା ସମ୍ଭବ ନୁହେଁ ବୋଲି ଏଥିରେ କୁହାଯାଇଛି। ଗ୍ରାମ ପଞ୍ଚାୟତ, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନୱାଡି କେନ୍ଦ୍ର ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସମେତ ବିଦ୍ୟମାନ ଗ୍ରାମୀଣ ପ୍ରତିଷ୍ଠାନଗୁଡ଼ିକୁ ଏକ ସାମୁଦାୟିକ ଯତ୍ନ ନେଟୱର୍କରେ ଯୋଡ଼ିବା ପାଇଁ ଟିଆର୍‌ଆଇ ‘ନେବରହୁଡ୍‌ ଅଫ୍‌ କେୟାର’ (ଯତ୍ନର ପଡ଼ୋଶୀ) ମଡେଲର ସୁପାରିସ କରିଛି। ଏହି ମଡେଲ ପ୍ରତ୍ୟେକ ପରିବାରର ଚାଲିବା ଦୂରତା ମଧ୍ୟରେ ସମନ୍ବିତ ଯତ୍ନ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି। ରିପୋର୍ଟରେ କୁହାଯାଇଛି ଯେ ଗ୍ରାମୀଣ ଭାରତକୁ ନୂତନ ଯତ୍ନ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ନାହିଁ, ବରଂ ଏହାର ଥିବା ପ୍ରତିଷ୍ଠାନଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଆବଶ୍ୟକ। ପ୍ରକାଶିତ ରିପୋର୍ଟରେ ଯତ୍ନ ବ୍ୟବସ୍ଥାକୁ ଏକ ଅର୍ଥନୈତିକ ସୁଯୋଗ ଭାବରେ ମଧ୍ୟ ଦର୍ଶାଯାଇଛି।
ଆକଳନ ଅନୁଯାୟୀ, ଭାରତର ଜିଡିପିର ୨ ପ୍ରତିଶତ ଯତ୍ନ ଅର୍ଥନୀତିରେ ବିନିଯୋଗ କଲେ ପ୍ରାୟ ୧୧ ନିୟୁତ (୧.୧ କୋଟି) ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ଯାହା ମୁଖ୍ୟତଃ ଗ୍ରାମୀଣ ମହିଳାମାନଙ୍କ ପାଇଁ ହେବ। ଲୋକଙ୍କୁ ବଞ୍ଚାଇ ରଖିବାରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପରବର୍ତ୍ତୀ ଆହ୍ବାନ ହେଉଛି ସେମାନେ ଯେପରି ଦୀର୍ଘ ସମୟ ଧରି ଭଲ ଭାବରେ ବଞ୍ଚିପାରିବେ ତାହା ନିଶ୍ଚିତ କରିବା। ଆମର ଏହି ଜନସଂଖ୍ୟାଗତ ପରିବର୍ତ୍ତନ ପାଇଁ ଆମକୁ ଯତ୍ନ ପ୍ରଦାନର ଶୈଳୀକୁ ପୁନଃନିର୍ମାଣ କରିବାକୁ ହେବ। ତେଣୁ ସଂସ୍ଥାଗତ ଯତ୍ନ ବାହାରେ ଏହାକୁ ଏକ ସହଭାଗୀ ସାମୁଦାୟିକ କାର୍ଯ୍ୟ ଭାବେ ସହଜ କରିବା ଏବଂ ସ୍ଥାୟୀ ଜୀବନଧାରଣର ସ୍ଥିତିରେ ସୁଧାର ଆଣିବା ଆବଶ୍ୟକ ବୋଲି ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆର ପ୍ରାକ୍ଟିସ ଡାଇରେକ୍ଟର ଶ୍ୟାମଳ ସାନ୍ତ୍ରା କହିଛନ୍ତି। ଏହାକୁ ସମ୍ଭବ କରିବା ପାଇଁ ଆବଶ୍ୟକ ପ୍ରତିଷ୍ଠାନଗୁଡ଼ିକ ସମଗ୍ର ଗ୍ରାମୀଣ ଭାରତରେ ଆଗରୁ ରହିଛି। ସେଗୁଡ଼ିକୁ ଏକ ସାଧାରଣ ଯତ୍ନ ଦାୟିତ୍ୱ ମାଧ୍ୟମରେ ଯୋଡ଼ି ଏକ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରିବା ଆବଶ୍ୟକ ଯାହା ପରିବାର ଓ ସେବା ପ୍ରଦାନକାରୀଙ୍କୁ ସାହାଯ୍ୟ କରିବ, ସ୍ଥାନୀୟ ଶାସନକୁ ମଜଭୁତ କରିବ ଏବଂ ଆଗାମୀ ଦଶନ୍ଧିଗୁଡ଼ିକ ପାଇଁ ଗଁାଗୁଡ଼ିକୁ ପ୍ରସ୍ତୁତ କରିବ ବୋଲି ସାନ୍ତ୍ରା କହିଛନ୍ତି।

 

Dharitri – Odisha’s No.1 Odia Daily