ଗହମ ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ,୯।୬: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭାରତରୁ ୧୨ ଲକ୍ଷ ଟନ୍‌ ଗହମ ରପ୍ତାନି ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି। ଖବର ଏଜେନ୍ସି ରୟଟର୍ସର ସୂଚନା ଅନୁସାରେ, ଗତ ମାସରେ ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନୀ ନେଇ ଲଗାଯାଇଥିବା କଟକଣା ପରେ ଦେଶର ଭିନ୍ନ ଭିନ୍ନ ପୋର୍ଟଗୁଡ଼ିକରେ ଜମା ହୋଇ ରହିଥିବା ଗହମକୁ ନିଷ୍କାସିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସରକାରୀ ମଞ୍ଜୁରୀ ମିଳିବା ପରେ ମଧ୍ୟ ଦେଶର ବିଭିନ୍ନ ପୋର୍ଟରେ ମହଜୁଦ୍‌ ଥିବା ୫ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇପାରିବନି। କିଛି ରପ୍ତାନିକାରୀ ପର୍‌ମିଟ୍‌ ଆଣିବାରେ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଦ୍ୱାରା ମେ’ ୧୪ ରେ ଗହମ ରପ୍ତାନି ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନିର୍ଦ୍ଦେଶ ସମୟରେ ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, ପୂର୍ବରୁ ଅନୁମତି ଦିଆ ଯାଇଥିବା ରପ୍ତାନୀ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ବର୍ତ୍ତମାନ ସରକାର ମେ’ ୧୪ ପୂର୍ବରୁ ଜାରି ହୋଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ଆଧାରରେ ସରକାର ଗହମ ରପ୍ତାନୀ ପାଇଁ ରେଜିଷ୍ଚ୍ରେସନ୍‌ ସାର୍ଟିଫିକେଟ୍‌ ଜାରି କରିବେ। ଗହମ ରପ୍ତାନି ଉପରେ କଟକଣା ଲଗାଯିବା ପରେ ଭାରତ ପକ୍ଷରୁ ୪୬୯୨୦୨ ଟନ୍‌ ଗହମ ଶିପ୍‌ମେଣ୍ଟ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ସତ୍ତ୍ୱେ ଅତିକମ୍‌ରେ ୧୭ ଲକ୍ଷ ଟନ୍‌ ଗହମ ଦେଶର ବିଭିନ୍ନ ପୋର୍ଟରେ ଜମା ହୋଇ ରହିଥିବା ରୟଟର୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହଭଳି ଖୁବ୍‌ଶୀଘ୍ର ମୌସୁମୀ ବର୍ଷା ହେବାର ଥିବାରୁ ପୋର୍ଟରେ ଜମା ଗହମ ନଷ୍ଟ ହେବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ସରକାରୀ ସୂଚନା ଅନୁସାରେ, ଯେଉଁ ଟ୍ରେଡରମାନଙ୍କ ପାଖରେ ବୈଧ ଲେଟର ଅଫ୍‌ କ୍ରେଡିଟ୍‌ ଥିବ, ସେମାନଙ୍କୁ ରପ୍ତାନି ପାଇଁ ଅନୁମତି ମିଳିବ। ଏପରିକି ବିଭିନ୍ନ ପୋର୍ଟକୁ ଶିପ୍‌ମେଣ୍ଟ ଅନୁମତି ମିଳିବା ପରେ ବାଂଲାଦେଶ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଫିଲିପାଇନ୍ସ, ନେପାଳ ଭଳି ଦେଶକୁ ଗହମ ଅଭାବ ସମସ୍ୟାରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ। ଏହି ସମସ୍ତ ଦେଶ ଗହମ ଆମଦାନି ପାଇଁ ବିଶେଷ ଭାବରେ ଭାରତ ଉପରେ ନିର୍ଭରଶୀଳ। ତେବେ ସର୍ବାଧିକ ଗହମ ବାଂଲାଦେଶକୁ ରପ୍ତାନି ହେବ।

Share