Categories: ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ: ବିସିସିଆଇ ଫଟୋରୁ ବିରାଟ କୋହଲି ଉଭାନ୍‌

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲିଙ୍କ ବିସ୍ଫୋରକ ଖବରଦାତା ସମ୍ମିଳନୀ ପରେ ଭାରତୀୟ ଦଳ ଗୁରୁବାର ସକାଳୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ମୁମ୍ବାଇରୁ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛି। ବିସିସିଆଇର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରୁ ଖେଳାଳିଙ୍କ ଫଟୋ ଶେୟାର କରି ଏହି ସୂଚନା ଦିଆଯାଇଛି। ସମସ୍ତ ଖେଳାଳି ଫଟୋରେ ବହୁତ ଖୁସି ଦେଖାଯାଉଛନ୍ତି। ବିସିସିଆଇ ଟୁଇଟର୍‌ରେ ୪ଟି ଫଟୋ ଶେୟାର କରିଛି। ଫଟୋରେ ଜସପ୍ରୀତ ବୁମ୍‌ରା, ମୟଙ୍କ ଅଗ୍ରୱାଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଅଜିଙ୍କେ ରାହାନେ, ଚେତେଶ୍ୱର ପୂଜାରା ଏବଂ ଉମେଶ ଯାଦବ ଦେଖାଯାଉଛନ୍ତି, କିନ୍ତୁ ବିରାଟ କୋହଲି ବିସିସିଆଇର ଏହି ଫଟୋରେ ଗାଏବ୍‌ ଅଛନ୍ତି। ଦକ୍ଷିଣ ଆଫ୍ରିକାରେ କୋଭିଡ -୧୯ର ଓମିକ୍ରନ ଭାରିଆଣ୍ଟର ବିପଦ ମଧ୍ୟରେ ଭାରତୀୟ ଦଳ ସେଠାରେ କଡା କ୍ୱାରାଣ୍ଟାଇନ ନିୟମ ଦେଇ ଗତି କରିବେ।
ଡିସେମ୍ବର ୨୬ରୁ ଭାରତୀୟ ଦଳ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯିବ। ଏହା ପରେ ଜାନୁୟାରୀ ୩ ରୁ ୧୧ ପର୍ଯ୍ୟନ୍ତ ଜୋହାନ୍ସବର୍ଗ ଏବଂ କେପଟାଉନରେ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ଖେଳାଯିବ।

Share