ଭୁବନେଶ୍ୱରଙ୍କ ଫେରିବା ପରେ ବଢ଼ିଲା ଚର୍ଚ୍ଚା, ନ୍ୟୁଜିଲାଣ୍ଡରେ କାହାକୁ ବାହାରେ ବସାଇବ ଟିମ ଇଣ୍ଡିଆ? ଆଗକୁ ଆସିଲା ନାଁ!

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳକୁ ୪୦ ଦିନ ଧରି କଠିନ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ। ଏହି ଗସ୍ତରେ ଟିମ ଇଣ୍ଡିଆ ମୋଟ ୧୨ଟି ମ୍ୟାଚ ଖେଳିବାକୁ ଯାଉଛି। ପ୍ରଥମେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୨୨ରେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ୨-୨ରେ ଡ୍ର’ ରଖିଥିବା ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡର ଭିନ୍ନ ପରିବେଶ ଓ ପିଚରେ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବ। ଏହି ଗସ୍ତରେ ଅଭିଜ୍ଞ ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଭୁବନେଶ୍ୱର କୁମାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ ବାତିଲ ହୋଇଯିବାରୁ ସେ ଗୋଟିଏ ବି ବଲ ବୋଲିଂ କରିପାରି ନଥିଲେ। ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଭୁବନେଶ୍ୱର ଦଳକୁ ଫେରିଲେ କେଉଁ ଖେଳାଳିଙ୍କୁ ବାଦ ଦିଆଯିବ, ତାହା ଏବେ ବଡ଼ ପ୍ରଶ୍ନ। ୱେଷ୍ଟଇଣ୍ଡିଜ ତୁଳନାରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି। ରବି ବିଷ୍ଣୋଇଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି।

ଭାରତୀୟ ଟି-୨୦ ଦଳର ବ୍ୟାଟିଂ ବିଭାଗ ବେଶ ମଜଭୁତ ରହିଛି। ଦଳରେ ଦକ୍ଷ ବ୍ୟାଟର୍ସଙ୍କ ସହ ଅଲରାଉଣ୍ଡରଙ୍କ ଭଲ ସମନୱୟ ରହିଛି। ତେଣୁ ପ୍ରଥମ ୮ଟି ସ୍ଥାନରେ ଖେଳାଳିଙ୍କ ଚୟନ ପ୍ରାୟ ନିଶ୍ଚିତ ବୋଲି ଆକଳନ କରାଯାଉଛି।

ଓପନିଂରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଦାୟିତ୍ୱ ସମ୍ଭାଳିପାରନ୍ତି। ତୃତୀୟ ସ୍ଥାନରେ ଈଶାନ କିଶନ ଏବଂ ଚତୁର୍ଥ ସ୍ଥାନରେ ଅଧିନାୟକ ଶ୍ରେୟସ ଆୟର ଖେଳିବାର ସମ୍ଭାବନା ରହିଛି। ପଞ୍ଚମ ସ୍ଥାନରେ ତିଳକ ବର୍ମା ନିଜର ଆକ୍ରମଣାତ୍ମକ ବ୍ୟାଟିଂରେ ପ୍ରଭାବ ପକାଉଛନ୍ତି।

ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ନମନ ଧୀର ମଧ୍ୟ ଭଲ ପ୍ରଭାବ ପକାଇଛନ୍ତି। ଏହା ସହ ଅକ୍ଷର ପଟେଲ ଓ ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତି ଦଳର ବ୍ୟାଟିଂ ଗଭୀରତାକୁ ମଜଭୁତ କରୁଛି।

ତେଣୁ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ହେଲେ ତାହା ମୁଖ୍ୟତଃ ବୋଲିଂ ବିଭାଗରେ ଦେଖିବାକୁ ମିଳିପାରେ। ସ୍ପିନର୍‌ ଭାବେ କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡର ପିଚକୁ ଦୃଷ୍ଟିରେ ରଖି ଭାରତ ୪ ଜଣ ଦ୍ରୁତ ବୋଲିଂ ବିକଳ୍ପ ସହ ପଡ଼ିଆକୁ ଓହ୍ଲାଇପାରେ। ଅର୍ଶଦୀପ ସିଂହ ଓ ଭୁବନେଶ୍ୱର କୁମାର ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେଇପାରନ୍ତି। ନୀତୀଶ କୁମାର ରେଡ୍ଡୀ ଚତୁର୍ଥ ଦ୍ରୁତ ବୋଲିଂ ବିକଳ୍ପ ଭାବେ ଦଳରେ ସ୍ଥାନ ପାଇପାରନ୍ତି।

ତୃତୀୟ ଦ୍ରୁତ ବୋଲର୍ଙ୍କ ସ୍ଥାନ ପାଇଁ ପ୍ରିନ୍ସ ଯାଦବ ଓ ମୟଙ୍କ ଯାଦବଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ। ଯଦି ଭାରତୀୟ ଦଳ ମୟଙ୍କ ଓ ପ୍ରିନ୍ସ ଉଭୟଙ୍କୁ ଖେଳାଇବାକୁ ନିଷ୍ପତ୍ତି ନିଏ, ତେବେ ନମନ ଧୀରଙ୍କୁ ବାହାରେ ବସିବାକୁ ପଡ଼ିପାରେ। ନ୍ୟୁଜିଲାଣ୍ଡର ପରିସ୍ଥିତିକୁ ଦେଖି ଦଳ ୩ ଜଣ ସ୍ପିନ ବୋଲିଂ ବିକଳ୍ପ ସହ ଖେଳିବାର ସମ୍ଭାବନା କମ ରହିଛି।
ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଦୁଇ ମୁଖ୍ୟ ସ୍ପିନର୍‌ ଭାବେ ଖେଳିପାରନ୍ତି। ଏପରି ସ୍ଥିତିରେ ନମନ ଧୀରଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ।

Dharitri – Odisha’s No.1 Odia Daily

Share
Tags: rashiphala