Categories: ଖେଳ

ଅଷ୍ଟ୍ରେଲୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିୟମ ନ ମାନି ପାରିଲେ ବ୍ରିସବେନ୍‌ ନ ଆସୁ ଭାରତୀୟ ଦଳ

ବ୍ରିସବେନ୍‌,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଇନ୍ସଲ୍ୟାଣ୍ଡରେ ଆଇସୋଲେଶନର କଡା ନିୟମ ଯୋଗୁ ଭାରତୀୟ ଦଳ ବ୍ରିସବେନ ଯିବାକୁ ଚାହୁଁନାହାଁନ୍ତି ଏବଂ ଏହା ବଦଳରେ ସିଡନୀରେ କ୍ରମାଗତ ଦୁଇଟି ମ୍ୟାଚ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୧୫ରୁ ବ୍ରିସବେନରେ ଖେଳାଯିବ। କୁଇନ୍ସଲ୍ୟାଣ୍ଡ ସରକାରର ବିରୋଧୀଦଳ ନେତାମାନେ ଏହି ପ୍ରସଙ୍ଗରେ ନିଜ ମତ ପ୍ରକାଶ କରିଛନ୍ତି। ରାଜ୍ୟର ଛାୟା ସ୍ବାସ୍ଥ୍ୟମନ୍ତ୍ରୀ ରୋଜ ବେଟ୍ସ କହିଛନ୍ତି ଯେ. ଯଦି ଭାରତୀୟମାନେ ନିୟମ ଅନୁଯାୟୀ ଖେଳିବାକୁ ଚାହୁଁନାହାଁନ୍ତି, ତେବେ ସେମାନେ ଏଠାକୁ ଆସିବା ଉଚିତ୍‌ ନୁହେଁ। ରାଜ୍ୟର ଛାୟା କ୍ରୀଡା ମନ୍ତ୍ରୀ ଟିମ ମାଣ୍ଡେର୍‌ କହିଛନ୍ତି ଯେ ଯଦି ଭାରତୀୟ କ୍ରିକେଟ ଦଳ ଚତୁର୍ଥ ଟେଷ୍ଟ ପାଇଁ ବ୍ରିସବେନ୍‌ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଚାହୁଁନାହାଁନ୍ତି, ତେବେ ସେମାନେ ଏଠାକୁ ଆସିବା ଉଚିତ୍‌ ନୁହେଁ। ଅଷ୍ଟ୍ରେଲିଆରେ ବିରୋଧୀ ଦଳ ମଧ୍ୟ ସରକାରଙ୍କ ପରି କ୍ୟାବିନେଟ ଗଠନ କରନ୍ତି, ଯଦିଓ ସେମାନଙ୍କର କାର୍ଯ୍ୟର୍ନିବାହୀ କ୍ଷମତା ନାହିଁ। ତାଙ୍କୁ ଛାୟା ମନ୍ତ୍ରୀ କୁହାଯାଏ। ଭାରତୀୟ ଦଳର ଏକ ସୂତ୍ର ଅନୁଯାୟୀ, ଅଷ୍ଟ୍ରେଲିଆରେ ପହଞ୍ଚିବା ପୂର୍ବରୁ ଭାରତୀୟ ଦଳ ଦୁବାଇରେ ୧୪ ଦିନ କ୍ୱାରାଣ୍ଟାଇନରେ ଥିଲେ ଏବଂ ପୁନର୍ବାର ଏଠାରେ ୧୪ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହାର ଅର୍ଥ ହେଉଛି ପ୍ରାୟ ଏକ ମାସ ଧରି ଏକ କଷ୍ଟଦାୟକ ବାୟୋ ବବୁଲରେ ରହିଛୁ। ଯାତ୍ରା ଶେଷରେ ପୁନର୍ବାର କ୍ୱାରାଣ୍ଟାଇନ ହେବାକୁ ଚାହୁଁନାହଁି ଭାରତୀୟ ଦଳ। ତେଣୁ ବ୍ରିସବେନ ଯିବାକୁ ଚାହୁଁ ନାହିଁ। ଟିମ ଇଣ୍ଡିଆ ସୋମବାର ସିଡନୀ ଅଭିମୁଖେ ଯାତ୍ରା କରିବ।

 

Share