ନୂଆଦିଲ୍ଲୀ,୧୫।୧: ୨୦୨୬ ଅଣ୍ଡର-୧୯ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆୟୁଷ ମ୍ହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆମେରିକା କୁ ୬ ୱିକେଟରେ ପରାସ୍ତ କରିଛି। ବୋଲିଂରେ ହେନିଲ ପଟେଲଙ୍କ ଘାତକ ପ୍ରଦର୍ଶନ ଏବଂ ବ୍ୟାଟିଂରେ ଅଭିଜ୍ଞାନ ଅଭିଷେକ କୁଣ୍ଡୁଙ୍କ ପରିପକ୍ୱ ଇନିଂସ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି।
କ୍ୱିନ୍ସ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେନିଲ ପଟେଲ ପ୍ରଭାବଶାଳୀ ବୋଲିଂ କରି ୫ଟି ୱିକେଟ୍ ଅକ୍ତିଆର କରିଥିଲେ, ଯାହାଫଳରେ ଆମେରିକା ମାତ୍ର ୧୦୭ ରନରେ ଅଲଆଉଟ୍ ହୋଇଯାଇଥିଲା।
ଅଳ୍ପ ରନର ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ଭଲ ହୋଇନଥିଲା। ତାରକା ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ଭାରତର ସ୍କୋର ୪ ଓଭରରେ ୧ ୱିକେଟ୍ ହରାଇ ୨୧ ରନ୍ ହୋଇଥିବା ବେଳେ ବର୍ଷା ଯୋଗୁଁ ଖେଳ କିଛି ସମୟ ବନ୍ଦ ରହିଥିଲା। ପରେ DLS ନିୟମ ଅନୁସାରେ ଭାରତକୁ ୩୭ ଓଭରରେ ୯୬ ରନର ସଂଶୋଧିତ ଲକ୍ଷ୍ୟ ମିଳିଥିଲା।
ଦଳ ମଧ୍ୟଭାଗରେ ୨୫ ରନରେ ୩ଟି ୱିକେଟ୍ ହରାଇ ସାମାନ୍ୟ ଚାପରେ ରହିଥିଲା। ଅଧିନାୟକ ଆୟୁଷ ମ୍ହାତ୍ରେ (୧୯) ଏବଂ ବେଦାନ୍ତ ତ୍ରିବେଦୀ (୨) ଶସ୍ତାରେ ଆଉଟ୍ ହୋଇଥିଲେ। ଏହି ସମୟରେ ଅଭିଜ୍ଞାନ ଅଭିଷେକ କୁଣ୍ଡୁ ଧୈର୍ଯ୍ୟର ସହ ବ୍ୟାଟିଂ କରି ୪୧ଟି ବଲରୁ ୪୨ ରନ୍ (୫ ଚୌକା ଓ ୧ ଛକା) କରି ଅପରାଜିତ ରହିଥିଲେ। ସେ ବିହାନ ମାଲହୋତ୍ରା (୧୮)ଙ୍କ ସହ ମିଶି ୪୫ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଗଢ଼ିଥିଲେ। ଭାରତ ୧୮ତମ ଓଭରରେ ହିଁ ୪ଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।


