ଇରାନ ରାସ୍ତା ଦେଇ ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ/କାବୁଲ,୧୦।୩: ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ। ଗୁରୁବାର ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ ଏସିଆ ମିଳିତ ଓ୍ବାର୍କିଂ ଗ୍ରୁପ୍‌ର ଏକ ବୈଠକରେ ଏନେଇ ଘୋଷଣା କରାଯାଇଥିଲା। ତେବେ ଭାରତର ଏହି ନିଷ୍ପତ୍ତି ପରେ ପାକିସ୍ତାନ ଶାସକମାନଙ୍କ ଚିନ୍ତା ବଢ଼ିଯାଇଛି। କାରଣ ପାକିସ୍ତାନବାସୀ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ଭାରତ ଇରାନ ଓ ଆଫଗାନିସ୍ତାନ ସହ ବ୍ୟପାର କରୁଛି। କିନ୍ତୁ ପାକିସ୍ତାନ ସହ କ’ଣ ପାଇଁ ଟ୍ରେଡ କରୁନାହିଁ ବୋଲି ଜନତା ପ୍ରଶ୍ନ ଉଠାଉଛନ୍ତି। ଯଦି ଆଫଗାନିସ୍ତାନ ଭାରତରୁ ସାହାଯ୍ୟ ନେଇପାରୁଛି ତେବେ ପାକିସ୍ତାନ କାହିଁକି ଭାରତର ସାହାଯ୍ୟ ନେଉନାହିଁ। ରାଜନେତାମାନେ କେବଳ ନିଜର ଲାଭ ବିଷୟରେ ଭାବୁଛନ୍ତି ଦେଶ ବିଷୟରେ ଚିନ୍ତା କରୁନାହାନ୍ତି ବୋଲି ଜନତା କହିଛନ୍ତି। ଅନ୍ୟପଟେ ପ୍ରଶ୍ନ ଉଠୁଛି ଯେ, ଭାରତ କାହିଁକି ପାକିସ୍ତାନ ରାସ୍ତା ଦେଇ ଆଫଗାନିସ୍ତାନକୁ ଗହମ ପଠାଉନାହିଁ। ଏହାର କାରଣ ହେଉଛି ଗତ ବର୍ଷ ଭାରତ ଆଫଗାନିସ୍ତାନକୁ ୪୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପାକିସ୍ତାନ ରାସ୍ତା ଦେଇ ପଠାଇଥିଲା। ସେତେବେଳେ ଏଥିରେ ପାକିସ୍ତାନ ଅନେକ ବାଧା ସୃଷ୍ଟି କରିଥିଲା। ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ଭାରତ ଏଭଳି ନିଷ୍ପତ୍ତି ନେଇଛି।

Share