Categories: ଜାତୀୟ

ଭାରତ ଆରମ୍ଭ କରିବ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ୍‌ …

ନୂଆଦିଲ୍ଲୀ,୨୦।୫: ଭାରତ ସରକାର ବିବିସି ଭଳି ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ଗତ ସପ୍ତାହରେ ପ୍ରସାର ଭାରତୀ ପକ୍ଷରୁ ଏନେଇ ଟେଣ୍ଡର ଜାରି କରାଯାଇଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ସିଏଏ-ଏନ୍‌ଆର୍‌ସି ଭଳି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଭାରତ ସରକାରଙ୍କୁ ଅନ୍ତର୍ଜାତୀୟସ୍ତରରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତର ଭାବମୂର୍ତ୍ତିକୁ ପୃଥିବୀ ସମ୍ମୁଖରେ ଉପସ୍ଥାପନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି କରୋନାର ଦ୍ୱିତୀୟ ଲହର ସମୟରେ ମୋଦି ସରକାରଙ୍କ ସମ୍ପର୍କରେ ହୋଇଥିବା ନକାରାତ୍ମକ ପ୍ରଚାର ଯୋଗୁ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏଭଳି ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ପ୍ରସାର ଭାରତୀ ପକ୍ଷରୁ ଗତ ୧୦ ବର୍ଷ ଧରି ପ୍ରୟାସ ଜାରି ରହିଥିବା କୁହାଯାଉଛି। ତେବେ ପ୍ରସାର ଭାରତୀର ନେତୃତ୍ୱ ବଦଳୁଥିବାରୁ ଏସମ୍ପର୍କିତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରି ନ ଥିଲା। ମେ’ ୧୩ରେ ଏନେଇ ଆବଶ୍ୟକ ପରାମର୍ଶ ପ୍ରଦାନ ଲାଗି ପ୍ରସାର ଭାରତୀ ପକ୍ଷରୁ ଟେଣ୍ଡର ଜାରି ହୋଇଥିବା ସିଇଓ ଶଶି ଶେଖର ବେମ୍‌ପତି ସୂଚନା ଦେଇଛନ୍ତି।

Share