Categories: ଖେଳ

ଆମେରିକା ବିପକ୍ଷରେ ଭାରତକୁ ବିଜୟ ସ୍ବାଦ

ଭୁବନେଶ୍ୱର, ୧୦।୨ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ର ଚଳିତ ସିଜନରେ ଭାରତ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୩-୧ଗୋଲରେ ଆମେରିକାକୁ ପରାସ୍ତ କରିଛି। ପୂର୍ବ ୩ ମ୍ୟାଚରେ ଯଥାକ୍ରମେ ଚାଇନା (୧-୨), ନେଦରଲାଣ୍ଡ୍ସ (୧-୩) ଓ ଅଷ୍ଟ୍ରେଲିଆ(୦-୩)ଠାରୁ ହାରିଥିବା ଭାରତ ବିଜୟ ସହ କଳିଙ୍ଗ ଷ୍ଟାଡିୟମରେ ଏହାର ଅଭିଯାନ ଶେଷ କରିଛି। ଏଥିସହ ପ୍ରୋ ଲିଗ୍‌ରେ ପଏଣ୍ଟ ଖାତା ଖୋଲିଛି ଭାରତୀୟ ଦଳ। ୪ ମ୍ୟାଚରୁ ୧ ବିଜୟ ଓ ୩ ପରାଜୟ ସହ ୩ ପଏଣ୍ଟ ପାଇ ଭାରତ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟ ପକ୍ଷରେ ଆମେରିକା ଖେଳିଥିବା ୪ଟି ଯାକ ମ୍ୟାଚ ହାରିଛି। ମହିଳା ହକିର ରାଉରକେଲା ଚରଣ ପ୍ରୋ-ଲିଗ୍‌ ମ୍ୟାଚ ଚଳିତ ମାସ ୧୨ରୁ ଆରମ୍ଭ ହେବ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ପୂର୍ବ ପରାଜୟରୁ ଶିକ୍ଷା ଲାଭ କରିଥିବା ଭାରତୀୟ ଦଳ ଆମେରିକା ବିପକ୍ଷରେ ସତର୍କତାର ସହ ଖେଳ ଆରମ୍ଭ କରିଥିଲା। ୨ୟ ମିନିଟରେ ଭାରତ ଓ ୩ୟ ମିନିଟରେ ଆମେରିକା ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ କରିପାରି ନ ଥିଲେ। ତେବେ ଚମତ୍କାର ଫର୍ମରେ ଥିବା ବନ୍ଦନା କାଟରିୟା ୯ମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୧ତମ ମିନିଟରେ ବୈଷ୍ଣବୀ ଭିଥାଲ ଫାଲ୍‌କେ ଗ୍ରୀନ୍‌କାର୍ଡ ସହ ଚେତାବନୀ ପାଇଥିବାବେଳେ ୨୬ତମ ମିନିଟରେ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପରିଣତ କରି ଦେଇଥିଲେ ଦୀପିକା। ୨୯ତମ ମିନିଟରେ ପେନାଲ୍ଟି କର୍ନରରୁ ଆମେରିକା ଗୋଲ କରି ନ ପାରିବାରୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତର ଅଗ୍ରଣୀ ୨-୦ ରହିଥିଲା। ତୃତୀୟ କ୍ୱାର୍ଟରରେ ଆମେରିକା ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଥିଲା। ଭାରତ ୩୩ ଓ ୩୮ତମ ମିନିଟରେ ୨ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ତାହାର ସଦୁପଯୋଗ କରିପାରି ନ ଥିଲା। ବିପଜ୍ଜନକ ଖେଳ ପାଇଁ ୩୭ତମ ମିନିଟରେ ଗ୍ରୀନ୍‌ କାର୍ଡ ପାଇଥିଲେ ଆମେରିକାର ତେବେର୍ଡିନ ଇମା। ୪୨ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ କାଲର୍‌ସ ସାନେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଭାରତୀୟ ରକ୍ଷଣଭାଗ ଆମେରିକାକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇ ନ ଥିଲେ। ଘରୋଇ ଦଳ ଆକ୍ରମଣ ଜାରି ରଖି ୫୨ତମ ମିନିଟରେ ପେନାଲ୍ଟି କର୍ନର ମିସ୍‌ କରିଥିଲେ ହେଁ ୫୬ତମ ମିନିଟରେ ସାଲିମା ଟେଟେଙ୍କ ଗୋଲ ବଳରେ ବିଜୟକୁ ଏକପ୍ରକାର ନିଶ୍ଚିତ କରି ଦେଇଥିଲା।

Share