Categories: ଖେଳ

ଭାରତ କବ୍‌ଜାରେ ଦ୍ୱିତୀୟ ଟେଷ୍ଟ

ଚେନ୍ନାଇ, ୧୪।୨: ସ୍ଥାନୀୟ ଚେପକ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ୨ୟ ଦିନ ସୁଦ୍ଧା ଭାରତ କବ୍‌ଜାରେ ରହିଛି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୦୦/୬)ରୁ ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ଦଳ ୩୨୯ ରନ୍‌ରେ ସୀମିତ ରହିଥିଲା। ଏହାପରେ ରବିଚନ୍ଦ୍ରନ ଅଶ୍ୱିନ ଯାଦୁଗରି ବୋଲିଂ ଆଗରେ ଇଂଲଣ୍ଡ ଦଳର କୌଣସି ବ୍ୟାଟ୍ସମ୍ୟାନ ଛିଡ଼ା ହୋଇପାରି ନ ଥିଲେ। ଫଳରେ ପୂରା ଭ୍ରମଣକାରୀ ଦଳ ଅଲଆଉଟ୍‌ ହୋଇଯାଇଥିଲା ମାତ୍ର ୧୩୪ ରନ୍‌ରେ। ଦଳର ୪ ଜଣ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଆଉ ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ (୬) ମଧ୍ୟ ବିଫଳ ହୋଇଥିଲେ। ଅଶ୍ୱିନ ୫ ଉଇକେଟ ସଫଳତା ହାତେଇଥିବାବେଳେ ଈଶାନ୍ତ ଶର୍ମା ଓ ପଦାର୍ପଣକାରୀ ଅକ୍ଷର ପଟେଲ ନେଇଥିଲେ ୨ ଲେଖାଏ ଉଇକେଟ।

୧୯୫ ରନ୍‌ର ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୨ୟ ଦିନ ସୁଦ୍ଧା ଶୁବମାନ ଗିଲ(୧୪)ଙ୍କ ଉଇକେଟ ହରାଇ ୫୪ ରନ୍‌ କରିଛି। ଫଳରେ ହାତରେ ୯ ଉଇକେଟ ବାକି ଥିବାବେଳେ ୨୪୯ ରନ୍‌ର ଅଗ୍ରଣୀ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ।

Share