Categories: ଜାତୀୟ

ଭାରତରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ମନା

ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକମାନଙ୍କୁ ଭାରତ ଦେଇଥିବା ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଅନ୍ତର୍ଜତୀୟ ବିମାନ ପରିବହନ ସଂସ୍ଥା (ଆଇଏଟିଏ) ପକ୍ଷରୁ କୁହାଯାଇଛି। ଏବେ ବି ଭାରତ ଚାଇନା ନାଗରିକମାନଙ୍କୁ ବ୍ୟବସାୟ, ରୋଜଗାର, କୂଟନୈତିକ ଏବଂ ସରକାରୀ ଭିସା ଦେଉଛି ବୋଲି ସରକାରୀ ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଚାଇନା ପର୍ଯ୍ୟଟକଙ୍କ ଭିସା ସ୍ଥଗିତ ରଖିବା ନିଷ୍ପତ୍ତି ଏଭଳି ସମୟରେ ନିଆଯାଇଛି ଯେତେବେଳେ ଚାଇନା ୨୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବାକୁ ଅନୁମତି ଦେଉ ନ ଥିବା ଅଭିଯୋଗ ହୋଇଛି। କୋଭିଡ କାରଣରୁ ଏହି ଛାତ୍ରମାନେ ନିଜ ଦେଶକୁ ଫେରିଆସିଥିଲେ। କିନ୍ତୁ ଯେତେବେଳେ ସେମାନେ ନିଜର ଅଧ୍ୟୟନ ସମାପ୍ତ କରିବାକୁ ଚାଇନାରୁ ଅନୁମତି ମାଗିଥିଲେ, ସେତେବେଳେ ବେଜିଂ ସେମାନଙ୍କୁ ଅପେକ୍ଷା ତାଲିକାରେ ରଖିଦେଇଥିଲା। ଅନ୍ୟପଟେ ଥାଇଲାଣ୍ଡ, ପାକିସ୍ଥାନ ଏବଂ ଶ୍ରୀଲଙ୍କାର ଛାତ୍ରମାନଙ୍କୁ ଫେରିବା ପାଇଁ ଅନୁମତି ଦେବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ଅପେକ୍ଷା ତାଲିକାରେ ରଖାଯାଇଥିବା ଜଣାପଡ଼ିଛି। ଗତ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ଓ୍ବି ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ସମ୍ମୁଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହି ପ୍ରସଙ୍ଗ ଉଠାଇଥିଲେ। ହେଲେ ବେଜିଂ ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଦେଇନାହିଁ। ସୂଚନା ମୁତାବକ, ବ୍ରିଟେନ ଏବଂ କାନାଡା ସେହି ଦେଶମାନଙ୍କ ମଧ୍ୟରେ ଅଛନ୍ତି ଯେଉଁ ନାଗରିକ ଇ-ଟୁରିଷ୍ଟ ଭିଜା ନେଇ ଭାରତକୁ ଆସିପାରିବେ ନାହିଁ। କିନ୍ତୁ ଏହି ଦେଶର ନାଗରିକମାନଙ୍କୁ ଭାରତୀୟ ମିଶନ ଦ୍ୱାରା ଜାରି ନିୟମିତ ପେପର ଭିଜା ଉପରେ ଭାରତ ଆସିବାକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ଜାପାନ ଏବଂ ଆମେରିକାର ନାଗରିକଙ୍କୁ ଜାରି କରାଯାଇଥିବା ଭିଜା ବ୍ୟତୀତ ୧୦ ବର୍ଷର ବୈଧତା ଥିବା ଭାରତୀୟ ପର୍ଯ୍ୟଟନ ଭିଜା ଆଉ ବୈଧ ନୁହେଁ ବୋଲି ସୂଚନା ରହିଛି।

Share