ଜାତିସଂଘରେ ଭାରତର ପ୍ରସ୍ତାବକୁ ସମର୍ଥନ: ଆତଙ୍କବାଦ ବିରୋଧରେ ୭୫ ଦେଶ ଏକଜୁଟ

ଜେନେଭା,୫।୧୧: ଆତଙ୍କବାଦ ବିରୋଧରେ ଜାତିସଂଘରେ ଭାରତକୁ ବଡ଼ ସଫଳତା ମିଳିଛି। ଭାରତ ପକ୍ଷରୁ ଜାତିସଂଘ ବାର୍ଷିକ ବୈଠକରେ ଆଗତ କରାଯାଇଥିବା ଏସମ୍ପର୍କିତ ପ୍ରସ୍ତାବକୁ ୭୫ରୁ ଅଧିକ ଦେଶ ସମର୍ଥନ କରିଛନ୍ତି। ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍‌.ତିରୁମୂର୍ତ୍ତି ସୂଚନା ଦେଇଛନ୍ତି। ଏନେଇ ତିରୁମୂତ୍ତି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଭାରତ ଆତଙ୍କବାଦ ବିରୋଧୀ ଲଢ଼େଇରେ ସବୁବେଳେ ଆଗରେ ରହିଛି। ଆତଙ୍କବାଦୀଙ୍କ ମିଳୁଥିବା ଅସ୍ତ୍ରଶସ୍ତ୍ର କିଭଳି ବନ୍ଦ କରାଯିବ ସେ ନେଇ ପଦକ୍ଷେଫ ଗ୍ରହଣ କରିବା ଲାଗି ଭାରତ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା। ଏହାକୁ ସଦସ୍ୟ ରାଷ୍ଟ୍ରମାନେ ସମର୍ଥନ କରିଥିବା ସେ କହିଛନ୍ତି। ବିନା ଭୋଟିଂରେ ଭାରତର ପ୍ରସ୍ତାବକୁ ସମର୍ଥନ କରାଯାଇଛି। ଏହା ଉପରେ ଚର୍ଚ୍ଚା କରିବା ଏବଂ ସୁରକ୍ଷା ପରିଷଦର ପ୍ରସ୍ତାବ ୧୫୪୦କୁ ଗ୍ରହଣ କରିବା ଲାଗି ଭାରତ ପକ୍ଷରୁ ଆହ୍ବାନ ଦିଆଯାଇଛି। ଏହି ପ୍ରସ୍ତାବ ପରମାଣୁ, ରାସାୟନିକ, ଜୈବିକ ଅସ୍ତ୍ରଶସ୍ତ୍ରର ବିକାଶ, ଅଧିଗ୍ରହଣ, ବିନିର୍ମାଣ, ପରିବହନ, ହସ୍ତାନ୍ତର, ଉପଯୋଗ ଆଦିକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Share