Categories: ଜାତୀୟ

୧ ହଜାର କେଜି ଯୁଦ୍ଧାସ୍ତ୍ର ସହ ଶତ୍ରୁକୁ ଧ୍ୱଂସ କରିବ ମିସାଇଲ‘ପ୍ରଳୟ’

ନୂଆଦିଲ୍ଲୀ,୨୨।୧୨: ଭୁପୃଷ୍ଠରୁ ଭୁପୂଷ୍ଠକୁ ନିକ୍ଷେପ କରୁଥିବା ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ର ବୁଧବାର ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶା ଉପକୂଳସ୍ଥିତ ବାଲେଶ୍ୱରର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୩୦ରେ ଏହାର ପରୀକ୍ଷଣ କରାଯାଇଥିଲା। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବାଲେଷ୍ଟିକ୍‌ ମିସାଇଲ ପରୀକ୍ଷା ବେଳେ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ କରିଛି ବୋଲି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କୁହାଯାଇଛି।

“ପ୍ରଳୟ ଏକ ଅର୍ଦ୍ଧ ବାଲେଷ୍ଟିକ ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରୁଥିବା ମିସାଇଲ। ଏହି ମିସାଇଲ ଦ୍ୱାରା ଇଣ୍ଟରସେପ୍ଟର ମିସାଇଲକୁ ପ୍ରତିହିତ କରାଯାଇପାରିବ। ନିର୍ଦ୍ଧିଷ୍ଟ ଦୂରତା ଉଡାଣ ଭରିବା ପରେ ଏହା ପାଖରେ ଦିଗ ପରିବର୍ତ୍ତନ କରିବାର କ୍ଷମତା ରହିଛି” ବୋଲି କୁହାଯାଇଛି।

ପରୀକ୍ଷା ବେଳେ ମିସାଇଲର ଗତିପଥ ତଦାରଖ କରିବା ଲାଗି ଟ୍ରାକିଂ ଯନ୍ତ୍ରାଂଶ ବ୍ୟବହାର କରାଯାଇଥିଲା। ପ୍ରଳୟ ମିସାଇଲ ୩୫୦ରୁ ୫୦୦ କିମି ଦୂରତା ମଧ୍ୟରେ ଟାର୍ଗେଟକୁ ଧ୍ୱଂସ କରିପାରିବ। ଏଥିସହିତ ଏହା ସୁରକ୍ଷିତ ଭାବେ ୫୦୦ରୁ ୧ ହଜାର କେଜି ବିସ୍ଫୋରକ ନେଇପାରିବ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ଡିଆରଡିଓ ଏବଂ ଏହି ପରୀକ୍ଷଣ ସହ ଜଡ଼ିତ ଟିମ୍‌କୁ ଶୁଭେଚ୍ଛା ଦେଇଛନ୍ତି।

Share