Categories: ବାଣିଜ୍ୟ

ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କମାଇଲା ଭାରତ

ଭୁବନେଶ୍ୱର,୬।୨(ଅନୁରାଧା ମହାରଣା): ରୁଷିଆରୁ ଭାରତକୁ ଅଶୋଧିତ ତୈଳ ଆମଦାନୀ କ୍ରମାଗତ ହ୍ରାସ ପାଇ ୧୨ ମାସ ମଧ୍ୟରେ ଜାନୁଆରୀ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ୨୦୨୩ ମସିହାରେ ଭାରତ ରୁଷିଆରୁ ସର୍ବାଧିକ ଅଶୋଧିତ ତୈଳ କ୍ରୟ କରିଥିଲା। ଏନେଇ ଚଳିତବର୍ଷ ଜାନୁଆରୀ ୨୦ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୨୩ରେ ଭାରତ ରୁଷିଆରୁ ପ୍ରତିଦିନ ୧୬.୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଦିନକୁ ମାତ୍ର ୬.୫୧ ଲକ୍ଷ ବ୍ୟାରେଲ ଥିଲା। ଅର୍ଥାତ୍‌ ୨୦୨୨ ତୁଳନାରେ ୨୦୨୩ ମସିହାରେ ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟରେ ୧୫୫ ପ୍ରତିଶତ ବୃଦ୍ଧି ଘଟିଥିଲା। ତେବେ ଚଳିତବର୍ଷ ଆରମ୍ଭ ଆରମ୍ଭରୁ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବାରେ ଲାଗିଛି। ଏନର୍ଜି କାର୍ଗୋ ଟ୍ରାକର ‘ଭର୍ଟେକ୍ସା’ର ତଥ୍ୟ ଅନୁଯାୟୀ, ରୁଷିଆ ଜାନୁଆରୀରେ ଭାରତକୁ ଦିନ ପିଛା ୧୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଉଥିବାବେଳେ ୨୦୨୩ ଡିସେମ୍ବରରେ ଏହାର ପରିମାଣ ୧୩.୨ ଲକ୍ଷ ବ୍ୟାରେଲରୁ କମ ଏବଂ ନଭେମ୍ବରରେ ୧୬.୨ ଲକ୍ଷ ବ୍ୟାରେଲରୁ କମ ରହିଥିଲା। ୨୦୨୧ ଡିସେମ୍ବରରେ ରୁଷିଆରୁ ଦିନକୁ ମାତ୍ର ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିବାବେଳେ ଇରାକରୁ ଦିନକୁ ୧୦.୫ ଲକ୍ଷ ବ୍ୟାରେଲ ଏବଂ ସାଉଦି ଆରବରୁ ୯୫୨,୬୨୫ ବ୍ୟାରେଲ ଆମଦାନୀ କରିଥିଲା। ରୁଷିଆରୁ ଏହି ଆମଦାନୀ ପରିମାଣ ଆମଦାନୀ ଗତ ବର୍ଷ ଜୁନ ମାସରେ ଦୈନିକ ୨୧ ଲକ୍ଷ ବ୍ୟାରେଲରେ ପହଞ୍ଚିଥିଲା, ଯାହାକି ଭାରତର ଆମଦାନୀ ହୋଇଥିବା ତେଲର ପ୍ରାୟ ୪୦ ପ୍ରତିଶତ ।

Share