ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ ଦଳ ଏପରି ଏକ ପିଚ୍‌ରେ ଖେଳିବାକୁ ଯାଉଛନ୍ତି, ଯେଉଁଠାରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିବା ଦଳ ପ୍ରାୟ ଫାଇଦାରେ ରହିଆସିଛି। ସ୍ପିନ୍‌ ବୋଲିଂ ବିରୋଧରେ ଅନିଶ୍ଚିତ ଫଳାଫଳ ଦେଖିବାକୁ ମିଳିଥାଏ। ଭାରତ ଏକ ଖରାପ ସମୟ ଦେଇ ଗତି କରୁଥିବା ବେଳେ ଏହି ସିରିଜ ଖେଳାଯାଉଛି। ଗତ ଦୁଇବର୍ଷ ମଧ୍ୟରେ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପରାଜିତ ହୋଇଛି। ଟର୍ନିଂ ଟ୍ରାକ୍‌ରେ ଦଳକୁ ସଂଘର୍ଷ କରିବାକୁ ପଡ଼ୁଥିବା ଲକ୍ଷ୍ୟ କରାଯାଇଛି। ଗାଲେରେ ବର୍ଷାକୁ ନେଇ ପୂର୍ବାନୁମାନ କରିବା ସହଜ ହୋଇ ନ ଥାଏ। ତୁଳନାତ୍ମକ ଭାବେ ଆର୍ଦ୍ରତା ପରିମାଣ ଅଧିକ ରହିବ ବୋଲି ଆଶା କରାଯାଉଛି। ଭାରତ ଏହାର ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ବିନା ଏହି ସିରିଜ ଖେଳିବ। ଅନ୍ୟପକ୍ଷରେ ଅଭିଜ୍ଞ ପ୍ରଭାତ ଜୟସୁରିୟାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ସ୍ପିନ ଆକ୍ରମଣ ବେଶ୍‌ ପ୍ରଭାବୀ ହେବ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କାରେ କେ.ଏଲ୍‌. ରହୁଲଙ୍କ ଭଲ ଅଭିଜ୍ଞତା ରହିଛି। ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ର ସେ ନେତୃତ୍ୱ ନେବେ ବୋଲି ମନେ କରାଯାଉଛି। ମୁଖ୍ୟ କୋଚ୍‌ ଗୌତମ ଗମ୍ଭରଙ୍କ ପାଇଁ ଏହି ସିରିଜ ଏକ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ପରିସଂଖ୍ୟାନରୁ ଜଣାପଡ଼େ ଗାଲେ ଇଣ୍ଟରନ୍ୟାଶନାଲରେ ଏପର୍ଯ୍ୟନ୍ତ ମୋଟ ୪୯ଟି ମ୍ୟାଚ ଖେଳାଯାଇଛି। ତନ୍ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨୬ ଥର ଏବଂ ପ୍ରଥମେ ବୋଲିଂ କରିଥିବା ଦଳ ୧୬ଟି ମ୍ୟାଚରେ ବିଜୟ ଲାଭ କରିଛନ୍ତି। ପିଚ୍‌ରେ ପ୍ରଥମ ଇନିଂସ ଆଭରେଜ ସ୍କୋର ୩୭୫ ରହିଥିବା ବେଳେ ଦ୍ୱିତୀୟ ଇନିଂସ ଆଭରେଜ ୩୧୨ ରହିଛି। ସେହିପରି ତୃତୀୟ ଇନିଂସ ଆଭରେଜ ୨୩୯ ରହିଥିବା ବେଳେ ଚତୁର୍ଥ ଇନିଂସ ଆଭରେଜ ୧୫୪ ରହିଛି। ପିଚ୍‌ରେ ସର୍ବାଧିକ ସ୍କୋର ରେକର୍ଡ ଶ୍ରୀଲଙ୍କା ନାମରେ ରହିଛି। ଦଳ ଆୟର୍ଲାଣ୍ଡ ବିପକ୍ଷରେ ୭୦୪/୩ ସ୍କୋର କରିଥିଲା।

ଭାରତରେ ଶ୍ରୀଲଙ୍କା ବନାମ ଭାରତ ପ୍ରଥମ ଟେଷ୍ଟ ଲାଇଭ ସୋନି ସ୍ପୋର୍ଟସ ନେଟୱାର୍କ ପ୍ରସାରିତ ହେବ। ପ୍ରଶଂସକମାନେ ସୋନିଲାଇଭ ଆପ ଏବଂ ୱେବସାଇଟ ମାଧ୍ୟମରେ ସକାଳ ୧୦:୦୦ ରେ ଲାଇଭ ଷ୍ଟ୍ରିମ ଦେଖିପାରିବେ।

 

Dharitri – Odisha’s No.1 Odia Daily

 

Share