ଭାରତ-ଶ୍ରୀଲଙ୍କା ଫାଇନାଲ

କଲମ୍ବୋ,୧୫ା୯: ଏସିଆ କପ୍‌ ଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଶ୍ରୀଲଙ୍କା। ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ବର୍ଷା କାରଣରୁ ମ୍ୟାଚ୍‌ଟି ୪୨ ଓଭର ବିଶିଷ୍ଟ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ଉଇକେଟ ହରାଇ ୨୫୨ ରନ୍‌ କରିଥିଲା। ଡର୍କଓ୍ବର୍ଥ ଲୁଇସ୍‌ ନିୟମରେ ୨୫୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଶ୍ରୀଲଙ୍କା ୮ ଉଇକେଟ ହରାଇ ଅନ୍ତିମ ବଲ୍‌ରେ ଜିତିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ଅପରାଜିତ ୮୬ ରନ୍‌ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ୍ଲା ଶଫିକ୍‌ ୫୨ ଓ ଇଫତିଖାର ଅହମଦ ୪୭ ରନ୍‌ କରିଥିଲେ। ପାକିସ୍ତାନ ୧୩୦ ରନ୍‌ରେ ୫ ଖେଳାଳିଙ୍କ ଉଇକେଟ ହରାଇବା ପରେ ଟପ୍‌ ସ୍କୋରର ମହମ୍ମଦ ରିଜଓ୍ବାନ (୮୬* ରନ) ଓ ଇଫତିଖାର ଅହମଦ(୪୭ ରନ୍‌) ଷଷ୍ଠ ଉଇକେଟରେ ୧୦୮ ରନ୍‌ ଯୋଡିଥିଲେ। ରିଜଓ୍ବାନ ୭୩ ବଲ୍‌ ଖେଳି ୬ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଇଫତିଖାର ୪୦ ବଲ୍‌ ଖେଳି ୪ ଚୌକା ଓ ୨ ଛକା ମାରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମଥୀଷା ପଥିରାନା ସର୍ବାଧିକ ୩ ଉଇକେଟ ନେଇଥିଲେ। ଜବାବରେ କୁଶାଲ ମେଣ୍ଡିସଙ୍କ ୯୧ ରନ୍‌ ବଳରେ ଶ୍ରୀଲଙ୍କା ମ୍ୟାଚ୍‌କୁ ଜିତି ନେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଚରିଥ୍‌ ଅସଲଙ୍କା ୪୯* , ସାଦିରା ସମରବିକ୍ରମା ୪୮, ପାଥୁମ ନିଶଙ୍କା ୨୯ ଓ କୁଶାଲ ପରେରା ୧୭ ରନ୍‌ ସ୍କୋର କରିଥିଲେ। ମେଣ୍ଡିସ୍‌ ୮୬ ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକା ମାରିଥିଲେ। ପାକିସ୍ତାନ ପକ୍ଷରୁ ଇଫତିଖାର ଅହମଦ ୩ ଓ ଶାହିନ ଆଫ୍ରିଦି ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୪୨ ଓଭରରେ ୨୫୨/୭(ମହମ୍ମଦ ରିଜଓ୍ବାନ-୮୬*, ଅବଦୁଲ୍ଲା ଶଫିକ୍‌-୫୨, ଇଫତିଖାର ଅହମଦ-୪୭, ମଥୀଷା ପଥିରାନା-୩/୬୫, ପ୍ରମୋଦ ମଦୁଶାନ-୨/୬୫, ଦୁନିଥ ଓ୍ବେଲାଲାଗେ-୧/୪୦)।
ଶ୍ରୀଲଙ୍କା୪୨ ଓଭରରେ ୨୫୨/୮(କୁଶାଲ ମେଣ୍ଡିସ୍‌-୯୧, ସାଦିରା ସମରବିକ୍ରମା-୪୮, ଚରିଥ୍‌ ଅସଲଙ୍କା-, ଶଦାବ ଖାନ୍‌-୧/୫୫,ଇଫତିଖାର ଅହମଦ-୩/୫୦, ଶାହିନ୍‌ ଆଫ୍ରିଦି-୨/୫୨)।