ଛତିଶଗଡ଼ରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ବିଜାପୁର ,୨୭।୩: ଏନ୍‌କାଉଣ୍ଟରେ ଟଳିପଡ଼ିଲେ ନକ୍ସଲ। ଛତିଶଗଡ଼ ବିଜାପୁର ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ନକ୍ସଲ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡ଼ିଛି।
ତେବେ ବିଜାପୁରର ଚିପୁରଭାଟି ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ଅପରେସନରେ ଡିଆର୍‌ଜି(ବାସୁଗୁଡ଼ା ଜିଲା ରିଜର୍ଭ ଗାର୍ଡ), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) ଓ କୋବ୍ରା କମାଣ୍ଡୋ ସାମିଲ ହୋଇଥିଲେ। ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲ ମଧ୍ୟରୁ ନକ୍ସଲମାନେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।
ପରେ ଜଙ୍ଗଲରେ ଖୋଜାଖୋଜି କରାଯାଇ ୬ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ନକ୍ସଲଙ୍କ ମଧ୍ୟରୁ୨ ମୃତଦେହ ମହିଳାଙ୍କର ବୋଲି ଜଣାଯାଇଛି। ଏହାଛଡ଼ା ଯବାନଙ୍କ ଗୁଳିରେ ଆହୁରି କିଛି ନକ୍ସଲ ଆହତ ହୋଇଛନ୍ତି। ତେବେ ସେମାନଙ୍କୁ ଖୋଜା ଚାଲିଛି। ଏଥିସହ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି।
Share