ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଖୁବ୍ ଶୀଘ୍ର ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ତେବେ ମୁଣ୍ଡପିଛା ଆୟ କ୍ଷେତ୍ରରେ ଏବେ ମଧ୍ୟ ବଡ଼ ବ୍ୟବଧାନ ରହିଛି।
ଭାରତରେ ବର୍ତ୍ତମାନ ମୁଣ୍ଡପିଛା ଆୟ ପ୍ରାୟ ୨,୮୧୮ ଡଲାର ରହିଛି। ଯେତେବେଳେ ଚାଇନାରେ ୧୩,୩୦୦ ଡଲାରରୁ ଅଧିକ। ସେହିଭଳି ବିକଶିତ ଦେଶ ଗୁଡିକର ୪୦,୦୦୦ ଡଲାରରୁ ଅଧିକ ରହିଛି।
ଅର୍ଥନୀତିଜ୍ଞଙ୍କ ଅନୁସାରେ, ଏହାର କିଛି ମୁଖ୍ୟ କାରଣ ରହିଛି।
ପ୍ରଥମତଃ ଭାରତରେ ଶ୍ରମଶକ୍ତିର ଅସନ୍ତୁଳନ ଗଭୀର ମାତ୍ରାରେ ରହିଛି। ଆମ ଦେଶରେ ପ୍ରାୟ ୪୬.୧% ଶ୍ରମିକ କୃଷି କ୍ଷେତ୍ରରେ ନିୟୋଜିତ। କିନ୍ତୁ ଜିଡିପିରେ ଏହାର ଅବଦାନ ମାତ୍ର ୧୭.୮%। ଅର୍ଥାତ୍ ଅଧାରୁ ଅଧିକ ଲୋକ ଏମିତି ଏକ କ୍ଷେତ୍ରରେ ଅଛନ୍ତି ଯେଉଁଠାରେ ଆୟ ସୀମିତ। ଦ୍ୱିତୀୟରେ ଭାରତର ପ୍ରାୟ ୮୨% ରୁ ୯୦% ଶ୍ରମିକ ଅଣଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଯେଉଁଠାରେ ସ୍ଥାୟୀ ଦରମା ବା ସାମାଜିକ ସୁରକ୍ଷାର ଅଭାବ ରହିଛି। ତୃତୀୟରେ ଭାରତର ବିଶାଳ ଜନସଂଖ୍ୟା କାରଣରୁ ମୋଟ ଜିଡିପି ଯେତେବେଳେ ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ବିଭାଜିତ ହୁଏ, ସେତେବେଳେ ଏହା କମ୍ ରହିଥାଏ।
ତେବେ ସକାରାତ୍ମକ ଦିଗକୁ ଦେଖିଲେ ଅର୍ଥବ୍ୟବସ୍ଥାର ଆକାର ବଢ଼ିବା ଦ୍ୱାରା ଦେଶର ବୈଦେଶିକ ପ୍ରଭାବ ଓ ନିବେଶ କ୍ଷମତା ବୃଦ୍ଧି ପାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ୮୧ ବିଲିୟନ ଡଲାରର ବୈଦେଶିକ ପୁଞ୍ଜି ନିବେଶ (FDI) ହୋଇଛି। ଏଥିସହିତ ୫୬ କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଏବଂ ୟୁପିଆଇ (UPI) ମାଧ୍ୟମରେ ଡିଜିଟାଲ କାରବାର ବୃଦ୍ଧି ଅର୍ଥନୈତିକ ସଂସ୍କାରର ସଙ୍କେତ ଦେଉଛି।
ଅର୍ଥନୀତିଜ୍ଞଙ୍କ ମତ ଅନୁସାରେ “ବଡ଼ ଅର୍ଥବ୍ୟବସ୍ଥାଗୁଡ଼ିକ ପ୍ରଥମେ ଆକାରରେ ବୃଦ୍ଧି ପାଆନ୍ତି ଏବଂ ପରେ ସେଠାରେ ରହୁଥିବା ନାଗରିକମାନେ ଧନୀ ହୁଅନ୍ତି।” ଭାରତ ଏବେ ସେହି ପର୍ଯ୍ୟାୟ ଦେଇ ଗତି କରୁଛି। ୨୦୩୦ ସୁଦ୍ଧା ଭାରତ ଏକ ‘ଉଚ୍ଚ-ମଧ୍ୟମ ଆୟ’ ବିଶିଷ୍ଟ ଦେଶ ହେବାକୁ ଲକ୍ଷ୍ୟ ରଖିଛି।

