ପୁଣି ପାକିସ୍ତାନକୁ ଜବାବ ଦେଲା ଭାରତ, କଶ୍ମୀର ଆମର ଥିଲା, ରହିବ

ଜେନେଭା,୪ ।୩: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନର ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ୱାନି ଖର ପୁଣିଥରେ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇବାକୁ ଚେଷ୍ଟା କରିଛନ୍ତି । ହେଲେ ତାଙ୍କର ସମସ୍ତ ଅଭିଯୋଗ ଉପରେ ଭାରତ କଡା ଜବାବ ଦେଇଛି । ଭାରତୀୟ କୁଟନୀତିଜ୍ଞ ସୀମା ପୂଜାନି ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଏହାର ଅସଲ ରୁପକୁ ଦେଖାଇବା ସହ ଆଇନା ଦେଖାଇବା ଭଳି କାମ କରିଛନ୍ତି ।
ସୀମା ପୂଜାନି କହିଛନ୍ତି କୌଣସି ବି ଧାର୍ମିକ ସଂଖ୍ୟାଲଘୁ ଆଜି ପାକିସ୍ତାନରେ ସ୍ୱତନ୍ତ୍ର ଭାବେ ରହି ପାରୁ ନାହାନ୍ତି ଅଥବା ସେମାନଙ୍କ ଧର୍ମ ପାଳନ କରିପାରୁ ନାହାନ୍ତି । ସାରା ବିଶ୍ୱରେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ପାକିସ୍ତାନର ନୀତି ସିଧାସଳଖ ଦାୟୀ । ଗତ ଏକ ଦଶକରେ ଜବରଦସ୍ତ ନିଖୋଜ ହେବାରେ ପାକିସ୍ତାନର ନିଜସ୍ୱ ଯାଞ୍ଚ ଆୟୋଗକୁ ୮,୪୬୩ ଅଭିଯୋଗ ମିଳିଥିଲା । ବଲୁଚ ଲୋକେ ଏହି କ୍ରୁର ନୀତିର ପରିଣାମ ଭୋଗୁଛନ୍ତି । ଛାତ୍ର, ଡାକ୍ତର, ଇଞ୍ଜିନିୟର ଓ ସଂଖ୍ୟାଲଘୁର ନେତାମାନେ ନିୟମିତ ଭାବେ ନିଖୋଜ ହୋଇଯାଆନ୍ତି ।
କଶ୍ମୀରକୁ ନେଇ ବି ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି । ପୂଜାନି କହିଛନ୍ତି ଜମ୍ମୁ-କଶ୍ମୀର ଓ ଲଦ୍ଦାଖ କେନ୍ଦ୍ର ଶାସିତ ପ୍ରଦେଶର ସମ୍ପୂର୍ଣ୍ଣ ଅଞ୍ଚଳ ଭାରତର ଅଂଶ ଥିଲା, ଆଉ ରହିବ । ପଡୋଶୀ ଦେଶ ସର୍ବଦା ଭାରତ ବିରୋଧରେ ପ୍ରଚାର ପ୍ରସାର କରି ଚାଲିଛି । ଏହା ପାକିସ୍ତାନର ଭୁଲ ପ୍ରାଥମିକତାର ସଙ୍କେତ ଅଟେ । ସେ କହିଛନ୍ତି ପାକିସ୍ତାନ ବେଆଇନ ଭାବେ ଭାରତୀୟ ଅଞ୍ଚଳ ଦଖଲ କରୁଛି ।

Share