Categories: ଜାତୀୟ

ସ୍ବଦେଶୀ ଜ୍ଞାନକୌଶଳର ବିକାଶ ପାଇଁ ପ୍ରିଡେଟର ଡ୍ରୋନ୍‌ କିଣିବାକୁ ମନା କଲା ଭାରତ…

ନୂଆଦିଲ୍ଲୀ, ୨୩।୨ : ଆମେରିକାରୁ କିଣିବାକୁ ଥିବା ୩୦ଟି ବିନା ଚାଳକ ପ୍ରିଡେଟର ଡ୍ରୋନ କିଣିବା ପାଇଁ ଭାରତ ଯୋଜନା କରିଥିବାବେଳେ ଏବେ ଏହାକୁ ବାତିଲ କରିଛି। ଭାରତୀୟ ସେନା ଲାଗି ୩ ବିଲିୟନ ଡଲାରରେ ଏହି ଡ୍ରୋନ୍‌ କିଣାଯାଇଥାନ୍ତା। ମାତ୍ର ଭାରତ କହିଛି ଯେ, ବର୍ତ୍ତମାନ ସ୍ବଦେଶୀ ଜ୍ଞାନକୌଶଳର ବିକାଶ ଏବଂ ଉତ୍ପାଦନ ଦ୍ୱାରା ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ତିଆରି ଏବଂ ବିକଶିତ କରିବାକୁ ଚାହୁଁଛି। ଏସମ୍ପର୍କରେ ଆବଶ୍ୟକ ସୂଚନା ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନକୁ ଭାରତ ପ୍ରଦାନ କରିଛି।

ସୀମାନ୍ତ ଅଞ୍ଚଳରେ ଶତ୍ରୁପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ପ୍ରିଡେଟର ଡ୍ରୋନ ବେଶ୍‌ ସକ୍ଷମ। ଏହା ଅନୁସନ୍ଧାନ ଏବଂ ଗୁପ୍ତଚର କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇପାରିଥାଏ। ଏହି ଡ୍ରୋନ ୩୫ ଘଣ୍ଟା ପାଇଁ ଆକାଶରେ ଉଡ଼ିବୁଲିବାକୁ ସକ୍ଷମ। ଫେବୃଆରୀ ୩ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଡ୍ରୋନ ଆମଦାନୀ, ମାନବ ବିହୀନ ଯାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅବଶ୍ୟ, ଏହି ନିଷେଧାଜ୍ଞାରେ ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ମାନବ ବିହୀନ ଯାନକୁ ବାଦ୍‌ ଦିଆଯାଇଥିଲା। ତଥାପି, ବ୍ୟବହାର ପାଇଁ ଏଗୁଡିକ ଲାଗି ନିର୍ଦ୍ଦିଷ୍ଟ ଅନୁମୋଦନର ଆବଶ୍ୟକତା ଥିବା ସରକାର କହିଥିଲେ।

ଭାରତରେ ପାଖରେ ଦୁଇଟି ସର୍ଭେଲାନ୍ସ୍‌ ଡ୍ରୋନ ଅଛି। ପ୍ରିଡେଟର ଡ୍ରୋନ କିଣିବାର ଯୋଜନାକୁ ବାତିଲ କରାଯାଇଛି। କାରଣ ଭାରତର ଏପରି ଡ୍ରୋନ ତିଆରି କରିବାର କ୍ଷମତା ରହିଥିବା କୁହାଯାଉଛି। ସମ୍ପ୍ରତି ଭାରତ ଇସ୍ରାଏଲର ହେରନ ଡ୍ରୋନକୁ ଅପଗ୍ରେଡ କରୁଛି।

ଏହାକୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯିବାର ଉଦ୍ୟମ ହେଉଛି। ଏଥିରେ କ୍ଷେପଣାସ୍ତ୍ର ଏବଂ ଲେଜର-ଗାଇଡ ବୋମାକୁ ଟାର୍ଗେଟ କରାଯାଇପାରିବ। ସଶସ୍ତ୍ର ପେଲୋଡ ସହିତ ଏକ ପ୍ରିଡେଟର୍‌ ପ୍ଲାଟଫର୍ମର ମୂଲ୍ୟ ପ୍ରାୟ ୧୦ କୋଟି ଡଲାର୍‌ ରହିଛି।

କିନ୍ତୁ ଏହାକୁ ସୁସଜ୍ଜିତ କରିବା ଲାଗି ୨୭ ଘଣ୍ଟା ସମୟ ଲଗିଥାଏ। ଭାରତୀୟ ନୌସେନା ଏଡେନ ଗଲ୍ଫରୁ ଇଣ୍ଡୋନେସିଆର ସୁଣ୍ଡା ଷ୍ଟ୍ରାଇଟ ପର୍ଯ୍ୟନ୍ତ ସାମୁଦ୍ରିକ ପଥ ଉପରେ ଜନର ରଖିବା ପାଇଁ ଏହି ପରି ଡ୍ରୋନର ବ୍ୟବହାର କରିଥାଏ।

Share