Categories: ଜାତୀୟ

ଟ୍ରେନ୍‌, ବସ୍‌ରେ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ, ୧୧।୧୦: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ ଯାତାୟାତ ବନ୍ଦ ରହିଥିବା ବେଳେ କଟକଣା କୋହଳ କରିବା ନିମନ୍ତେ ଗତ ୭ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଥିଲା। ନଭେମ୍ବର ୧୫ରୁ ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଆସିବା ଲାଗି ଭିଜା ମଞ୍ଜୁର କରାଯିବ ବୋଲି କୁହାଯାଇଥିଲା। ତେବେ ସ୍ଥଳପଥରେ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ଭିଜା ଦିଆଯିବ ନାହିଁ। କେବଳ ବିମାନରେ କିମ୍ବା ଜଳପଥରେ ସେମାନେ ଭାରତ ଆସିପାରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ଗାଇଡ୍‌ଲାଇନରେ କୁହାଯାଇଛି। ଗାଇଡ୍‌ଲାଇନ ଅନୁଯାୟୀ ଅକ୍ଟୋବର ୧୫ରୁ ଅନ୍ତର୍ଜାତୀୟ ଗମନାଗମନକୁ ଅନୁମତି ମିଳିବ। ପୂର୍ବରୁ ଟୁରିଷ୍ଟ ଓ ଇ-ଭିଜା ଡବଲ ଏଣ୍ଟ୍ରି ଥିବାବେଳେ ଏବେ ଏହାକୁ ଗୋଟିଏ ମାସ ପାଇଁ ସିଙ୍ଗଲ୍‌ ଏଣ୍ଟ୍ରି କରାଯାଇଛି।
ଭାରତର ସୀମା ଚାଇନା, ପାକିସ୍ତାନ, ବାଂଲାଦେଶ, ଭୁଟାନ, ନେପାଳ, ମ୍ୟାନ୍‌ମାନ ସହ ଯୋଡ଼ିହୋଇ ରହିଥିବାବେଳେ ଏବେ ଅଟାରୀ, ଅଗରତାଲା, ପେଟ୍ରାପୋଲ, ରସ୍କାଉଲ, ଯୋଗବଣି, ମୋରେହ,ସୁତରକାଣ୍ଡି, ଶ୍ରୀମନ୍ତପୁର ଏବଂ କର୍‌ତାରପୁରରେ ଥିବା ସମନ୍ବିତ ଚେକ୍‌ପୋଷ୍ଟଗୁଡ଼ିକ ବିଦେଶୀଙ୍କ ପାଇଁ ଖୋଲିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share