Categories: ଜାତୀୟ

ସୁଏଜ ଅବରୋଧ ହଟାଇବାକୁ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ, ୨୮ା୩: ସୁଏଜ କେନାଲର ପୂର୍ବ-ପଶ୍ଚିମ ଜଳପଥରେ ଗତ ୨୩ ତାରିଖରୁ ଏକ ବିଶାଳ ଜାହାଜ ଫସି ରହିଛି। ଏଥିଯୋଗୁ ପ୍ରାୟ ୨ ଶହ ଜାହାଜ କେନାଲର ଉଭୟ ପାର୍ଶ୍ୱରେ ଫସି ରହି ବିଶ୍ୱ ପରିବହନକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ପରିବହନ କାର୍ଯ୍ୟ ସ୍ବାଭାବିକ କରିବା ପାଇଁ ଭାରତ ୪ ସୂତ୍ରୀ ଯୋଜନା ପ୍ରସ୍ତାବ ଦେଇଛି। ଜାହାଜଗୁଡ଼ିକ କେପ୍‌ ଅଫ୍‌ ଗୁଡ୍‌ ହୋପ୍‌ ସାମୂଦ୍ରିକ ପଥ ଦେଇ ଆସିବାକୁ ଲଜିଷ୍ଟିକ୍‌ ଡିଭିଜନ୍‌, ବାଣିଜ୍ୟ ଏବଂ ପରିବହନ ଓ ଜଳପଥ ବିଭାଗ ପକ୍ଷରୁ ଏକ ବୈଠକରେ ଯୋଜନା କରାଯାଇଛି।
ଦୃଷ୍ଟିରୁ ପଚନଶୀଳ ସାମଗ୍ରୀ ଥିବା ମାଲବାହୀ ଜାହାଜଗୁଡ଼ିକୁ ଚିହ୍ନଟ କରାଯାଇ ଶିପିଂ ଲାଇନରେ ତାହାକୁ ଆଗକୁ ନିଆଯିବାକୁ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ମାଲ ପରିବହନ ହାରରେ ସ୍ଥିରତା ରଖିବାକୁ ଶିପିଂ ଲାଇନଗୁଡ଼ିକୁ ଅନୁରୋଧ କରାଯାଇଛି। ସୁଏଜ କେନାଲ ତୁଳନାରେ କେପ୍‌ ଅଫ୍‌ ଗୁଡ୍‌ ହୋପ୍‌ ମାଲ ପରିବହନ ପାଇଁ ଅଧିକ ୧୫ ଦିନ ଲାଗିଥାଏ।
କେନାଲ ୫ ଦିନ ହେଲା ବନ୍ଦ ରହିଛି। ଭୂମଧ୍ୟସାଗର ଓ ଲୋହିତ ସାଗରକୁ ସଂଯୋଗ କରୁଥିବା ଏହି କେନାଲ ଏସିଆ ଓ ୟୁରୋପ ମଧ୍ୟରେ ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ପଥ। ଏଭର ଗିଭିନ ନାମକ ପ୍ରାୟ ୪ଶହ ମିଟର ଲମ୍ବର ଜାହାଜ ଫସି ରହିଥିବାରୁ ଏହି ପଥ ଦେଇ ଜାହାଜ ଯାତାୟାତ କରିପାରୁନାହିଁ। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଭାରତକୁ ଆସୁଥିବା ଜିନିଷ ପହଞ୍ଚିବାରେ ବିଳମ୍ବ ହେବ। ଏହା ଦ୍ୱାରା ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିବାର ଆଶଙ୍କା ଦେଖାଦେଇଛି।

Share