ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ ୧୭ ରିଖରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମ୍ମାସାନି ନୂଆଦିଲ୍ଲୀର ଆକାଶବାଣୀ ଭବନଠାରେ ଏହି ସେବାଗୁଡ଼ିକର ଉଦଘାଟନ କରିଛନ୍ତି।
କ’ଣ ଏହି ନୂତନ ସେବା?
ତୁରନ୍ତ ଚିଠି ଓ ପାର୍ସଲ ପଠାଇବା ପାଇଁ ବିଭାଗ ପକ୍ଷରୁ ‘୨୪ ସ୍ପିଡ୍ ପୋଷ୍ଟ’, ‘୨୪ ସ୍ପିଡ୍ ପୋଷ୍ଟ ପାର୍ସଲ’ ଏବଂ ‘୪୮ ସ୍ପିଡ୍ ପୋଷ୍ଟ’ ସେବା ଆରମ୍ଭ କରାଯାଇଛି। ଏହି ସେବାକୁ ସଫଳ କରିବା ପାଇଁ ଡାକ ବିଭାଗ ସ୍ୱତନ୍ତ୍ର ପ୍ରୋସେସିଂ ସିଷ୍ଟମ ଏବଂ ଅଗ୍ରାଧିକାର ଭିତ୍ତିରେ ଏୟାର ଟ୍ରାନ୍ସପୋର୍ଟ ବ୍ୟବହାର କରୁଛି।
୨୪ ସ୍ପିଡ୍ ପୋଷ୍ଟ: ଏଥିରେ ଗ୍ରାହକଙ୍କୁ ପରଦିନ (D+1) ସୁଦ୍ଧା ସାମଗ୍ରୀ ପହଞ୍ଚାଇବାକୁ ଗ୍ୟାରେଣ୍ଟି ଦିଆଯାଉଛି।
୪୮ ସ୍ପିଡ୍ ପୋଷ୍ଟ: ଏଥିରେ ଦୁଇ ଦିନ (D+2) ମଧ୍ୟରେ ସାମଗ୍ରୀ ପହଞ୍ଚାଯିବ।
ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଦେଶର ୬ଟି ପ୍ରମୁଖ ମେଟ୍ରୋ ସହରରେ ଉପଲବ୍ଧ ହେବ। ସେଗୁଡିକ ହେଉଛି ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଏବଂ ମୁମ୍ବାଇ।
ସାମଗ୍ରୀ ବୁକିଂ ଠାରୁ ଡେଲିଭରି ପର୍ଯ୍ୟନ୍ତ ଗ୍ରାହକଙ୍କୁ SMS ଆଲର୍ଟ ମିଳିବ। ସୁରକ୍ଷା ପାଇଁ OTP ମାଧ୍ୟମରେ ଡେଲିଭରି କରାଯିବ। ବଲ୍କ ବୁକିଂ କ୍ଷେତ୍ରରେ ‘ଫ୍ରି ପିକ୍-ଅପ୍’ ଏବଂ ‘ବାଏ ନାଉ ପେ ଲେଟର’ (BNPL) ଭଳି ସୁବିଧା ମିଳିବ।
ଯଦି ବିଭାଗ ପ୍ରତିଶ୍ରୁତି ଅନୁଯାୟୀ ଧାର୍ଯ୍ୟ ସମୟ ମଧ୍ୟରେ ସାମଗ୍ରୀ ପହଞ୍ଚାଇବାରେ ବିଫଳ ହୁଏ, ତେବେ ଟଙ୍କା ଫେରସ୍ତର ବ୍ୟବସ୍ଥା ମଧ୍ୟ ରହିଛି।

