ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ସରକାର ଦେଶରେ ବହୁ ପ୍ରତୀକ୍ଷିତ ଜନଗଣନା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ତାରିଖ ମଧ୍ୟରେ ଜନଗଣନା ପ୍ରକ୍ରିୟା ସମ୍ପାଦନ କରାଯିବ। ଏହି ଜନଗଣନା ପାଇଁ ସନ୍ଦର୍ଭ ତାରିଖ (Reference Date) ୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟା ନିର୍ଦ୍ଧାରଣ କରାଯାଇଛି।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଥର ନାଗରିକମାନଙ୍କୁ ସ୍ୱ-ଗଣନାର ବିକଳ୍ପ ମଧ୍ୟ ମିଳିବ। ଏହି ବ୍ୟବସ୍ଥା ଅଧୀନରେ ଜନଗଣନା ଆରମ୍ଭ ହେବା ପୂର୍ବରୁ ଲୋକଙ୍କୁ ୧୫ ଦିନର ସମୟ ଦିଆଯିବ। ୨୦୨୭ ଜାନୁଆରୀ ୧୦ରୁ ୨୪ ତାରିଖ ମଧ୍ୟରେ ନାଗରିକମାନେ ନିଜେ ନିଜର ଏବଂ ନିଜ ପରିବାରର ତଥ୍ୟ ଅନଲାଇନ୍/ନିର୍ଦ୍ଧାରିତ ବ୍ୟବସ୍ଥା ମାଧ୍ୟମରେ ଦାଖଲ କରିପାରିବେ।
ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମଣିପୁର, ଗୋଆ, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଏହି ଧାର୍ଯ୍ୟ ସମୟ ମଧ୍ୟରେ ଜନଗଣନା କରାଯିବ ନାହିଁ। ଏହାବ୍ୟତୀତ ପ୍ରବଳ ବରଫପାତ ଏବଂ ଦୁର୍ଗମ ଭୌଗୋଳିକ ପରିସ୍ଥିତି ଯୋଗୁ ଲଦାଖ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ବରଫାବୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଏହି ନିର୍ଦ୍ଧାରିତ କାର୍ଯ୍ୟସୂଚୀରୁ ବାଦ୍ ଦିଆଯାଇଛି। ଏସବୁ ସ୍ଥାନ ପାଇଁ ପରବର୍ତ୍ତୀ ସମୟରେ ଅଲଗା ସମୟ ନିର୍ଦ୍ଧାରଣ କରାଯିବ।