ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଅନ୍ତିମ ଲିଗ୍ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇବା ଲକ୍ଷ୍ୟରେ ରହିଛି। ନିକଟ ଅତୀତରେ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳର ପ୍ରଦର୍ଶନ ଭଲ ରହିଛି। ତେଣୁ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ତାହାର ପୁନରାବୃତ୍ତି ଆଶାରେ ରହିଛି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ।
ଭାରତ ଏହାର ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୯୪ ରନ ଓ ଦ୍ୱିତୀୟ ମ୍ୟାଚରେ ହଂକଂକୁ ୧୩୭ ରନରେ ପରାସ୍ତ କରିଛି। ସେହିପରି ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୩୫ ରନରେ ହରାଇଥିବା ପାକିସ୍ତାନ ଦ୍ୱିତୀୟ ମ୍ୟାଚରେ ଭାରତକୁ ଭେଟିବାକୁ ଯାଉଛି। ୭ ତାରିଖରେ ଏହି ଦଳ ହଂକଂକୁ ଭେଟିବ। ତେଣୁ ଗ୍ରୁପ୍ ‘ଏ’ରୁ ଭାରତ ପରେ ପାକିସ୍ତାନ ଦ୍ୱିତୀୟ ଦଳଭାବେ ସେମିଫାଇନାଲରେ ପ୍ରବେଶ କରିବା ସମ୍ଭାବନା ରହିଛି। ତେବେ ନିକଟ ଅତୀତରେ ଏସୀୟ ସ୍ତରରେ କୌଣସି ଦଳ ଭାରତ ସମକକ୍ଷ ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ଟି୨୦ ଫର୍ମାଟରେ କୌଣସି ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର। ଗତ ମହିଳା ଏସିଆ କପ୍ରେ ଭାରତ ଫାଇନାଲରେ ଶ୍ରୀଲଙ୍କାଠାରୁ ହାରି ରନରଅପ୍ ହୋଇଥିଲା।
ଏଥର ଭାରତର ଦୁଇ ଟପ୍ ଅର୍ଡର ବ୍ୟାଟର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଫର୍ମରେ ଅଛନ୍ତି। ହଂକଂ ବିପକ୍ଷ ମ୍ୟାଚରେ ମନ୍ଧାନା ଶତକ ହାସଲ କରିବା ସହ ଏକାଧିକ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ପିଚ୍ ବ୍ୟାଟରଙ୍କୁ ସୁହାଇବା ସମ୍ଭାବନା ଥିବାରୁ ସ୍ମୃତି ଓ ଶେଫାଳିଙ୍କ ଚମକ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଯଦିବା ଭଲ ଆରମ୍ଭ ହୋଇ ନ ପାରିଲା ତେବେ ମିଡିର୍ଲ ଅର୍ଡରରେ ପ୍ରତୀକା ରାଓ୍ବଲ, ରିଚା ଘୋଷ ଓ ଅଧିନାୟିକା ହରମନପ୍ରୀତ ସ୍ଥିତି ସମ୍ଭାଳି ନେବାର ଦକ୍ଷତା ରଖିଛନ୍ତି। ଦିନିକିଆ ଫର୍ମାଟରେ ସଫଳ ହୋଇଥିବା ପ୍ରତୀକା ଏଠାରେ ୩ ନମ୍ବରରେ ଖେଳୁଥିବାରୁ ସାମାନ୍ୟ ଚାପରେ ରହିଛନ୍ତି। ନନ୍ଦିନୀ ଶର୍ମା ଓ କ୍ରାନ୍ତି ଗୌଡ଼ ବୋଲିଂ ଚ୍ୟାଲେଞ୍ଜର ନେତୃତ୍ୱ ନେବେ।
ଅନ୍ୟପକ୍ଷରେ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଭାରତକୁ ଏହାର ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଗତ କିଛି ମ୍ୟାଚରେ ଖରାପ ବ୍ୟାଟିଂପାଇଁ ଦଳକୁ ପରାଜୟ ମୁହଁ ଦେଖିବାକୁ ପଡ଼ିଛି। ଏପରିକି ଗତ ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ପାଓ୍ବାରପ୍ଲେରେ ବ୍ୟାଟରମାନେ ଚାପରେ ରହିଥିବା ଦେଖିବାକୁ ମିଳିଥିଲା। ଓପନର ମୁନିବା ଅଲୀ ଓ ବୋଲିଂ ଅଲ୍ରାଉଣ୍ଡର ତଥା ଅଧିନାୟକ ଫତିମା ସାନାଙ୍କ ଉପରେ ଦଳ ଅନେକ ପରିମାଣରେ ନିର୍ଭର କରିବ।