ନୂଆଦିଲ୍ଲୀ,୨।୧୧:ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ ପଟିଦାରଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। କତାରର ଦୋହାରେ ନଭେମ୍ବର ୧୯ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଇଣ୍ଡିଆ-ଏ ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ।
ଟୁର୍ନାମେଣ୍ଟରେ ଭାରତୀୟ ଦଳର ଦ୍ୱିତୀୟ ମ୍ୟାଚ ପାକିସ୍ତାନ ବିପକ୍ଷରେ ହେବ। ନଭେମ୍ବର ୨୨ରେ ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ। ଏହାପରେ ନଭେମ୍ବର ୨୪ରେ ଇଣ୍ଡିଆ-ଏ ତୃତୀୟ ମ୍ୟାଚ୍ରେ ୟୁଏଇକୁ ଭେଟିବ। ଏହି ମ୍ୟାଚ ୟୁନିଭର୍ସିଟି ଅଫ ଦୋହା ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଗ୍ରାଉଣ୍ଡରେ ଖେଳାଯିବ।
ସଞ୍ଜୁ ସାମସନ୍ଙ୍କୁ ସ୍ଥାନ ମିଳି ନ ଥିବାରୁ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଓପନିଂ କରିବାର ସମ୍ଭାବନା ରହିଛି। ତେବେ ଚୂଡ଼ାନ୍ତ ଓପନିଂ ଯୋଡ଼ି ଦଳର ରଣନୀତି ଉପରେ ନିର୍ଭର କରିବ।ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ନେଇ ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ନଜର ରହିବ। ଯୁବ ବ୍ୟାଟର୍ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଛି।
ଭାରତୀୟ ଦଳ: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂହ (ଉଇକେଟକିପର), ତିଲକ ବର୍ମା (ଅଧିନାୟକ), ରଜତ ପାଟିଦାର (ଉପଅଧିନାୟକ), ରିଙ୍କୁ ସିଂହ, କୁମାର କୁଶାଗ୍ର (ଉଇକେଟକିପର), ସୂର୍ଯ୍ୟାଂଶ ସେଡଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାନ।
ଇଣ୍ଡିଆ-ଏ ଗ୍ରୁପ-ବି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍ରେ ଭାରତ ସହ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି। ଅନ୍ୟପଟେ ଗ୍ରୁପ-ଏ’ରେ ବାଂଲାଦେଶ-ଏ, ଶ୍ରୀଲଙ୍କା-ଏ, ଆଫଗାନିସ୍ତାନ-ଏ ଓ ହଂକଂ ଚାଇନା ରହିଛନ୍ତି।
ରାଉଣ୍ଡ ପର୍ଯ୍ୟାୟ ପରେ ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲ୍କୁ ଉନ୍ନୀତ ହେବେ। ନଭେମ୍ବର ୨୬ ଓ ୨୭ରେ ଦୁଇଟି ସେମିଫାଇନାଲ ମ୍ୟାଚ ଖେଳାଯିବ। ନଭେମ୍ବର ୨୯, ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।