ତାଲିବାନ୍‌ ସହ ଭାରତର ଆଲୋଚନା

ନୂଆଦିଲ୍ଲୀ,୩୧।୮- ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତାଲିବାନ୍‌ ସହ ମଙ୍ଗଳବାର ପ୍ରଥମ ଥର ପାଇଁ ଭାରତ କୁଟନୈତିକ ଆଲୋଚନା ଆରମ୍ଭ କରିଛି। ଭାରତୀୟ ଆମ୍ବାସାଡର ଆତଙ୍କବାଦୀ ସଂଗଠନର ନେତାଙ୍କୁ କତାରର ରାଜଧାନୀ ଦୋହାଠାରେ ଭେଟିଛନ୍ତି। ଆଫଗାନିସ୍ତାନର ନୂଆ ଶାସକଙ୍କ ଅନୁରୋଧ କ୍ରମେ ଏହି ବୈଠକ ଆୟୋଜିତ ହୋଇଥିଲା।

କତାରରେ ଥିବା ଭାରତୀୟ ଆମ୍ବାସାଡର ଦୀପକ ମିତ୍ତଲ ତାଲିବାନ୍‌ର ରାଜନୈତିକ ଦଳର ମୁଖ୍ୟ ଶେର ମହମ୍ମଦ ଆବ୍ବାସ ଷ୍ଟାନିକଜାଇଙ୍କ ସହ ଆଲୋଚନା କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି। ଏହି ବୈଠକ ଦୋହାସ୍ଥିତ ଭାରତୀୟ ଏମ୍ବାସିରେ ବସିଥିଲା।

ଆଫଗାନିସ୍ତାନର ମାଟିକୁ ଆତଙ୍କବାଦ ଓ ଭାରତ ବିରୋଧୀ କାର୍ଯ୍ୟାକଳାପରେ ବ୍ୟବହୃତ ହୋଇପାରେ ବୋଲି ଭାରତ ଚିନ୍ତା ପ୍ରକଟ କରିଥିଲା। କିନ୍ତୁ ଷ୍ଟାନିକଜାଇ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଆତଙ୍କବାଦ ଭଳି ସମସ୍ୟାର ସକାରାତ୍ମକ ସମାଧାନ ହେବ।

Share