ଆଇପିସିଏ ପ୍ରୋଟୋକଲ ପାଳନ କରୁନି ଭାରତ: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୩।୫ : ଆମେରିକାର ଏକ ରିପୋର୍ଟରେ ଦର୍ଶାଯାଇଛି ,ଅନ୍ତର୍ଜାତୀୟ ପିତାମାତା ଶିଶୁ ଅପହରଣ (ଆଇପିସିଏ) ପ୍ରୋଟୋକଲକୁ ଅନୁସରଣ କରୁ ନ ଥିବା ୧୪ ଟି ଦେଶ ମଧ୍ୟରେ ଭାରତ ରହିଛି। ୨୦୨୩ ପାଇଁ ଆଇପିସିଏ ଉପରେ ଆମେରିକାର ଗୃହ ବିଭାଗର ବାର୍ଷିକ ରିପୋର୍ଟ ମଙ୍ଗଳବାର ଆମେରିକା ସଂସଦରେ ଉପସ୍ଥାପିତ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି, ଏହି ପ୍ରସଙ୍ଗରେ ଭାରତ ଆମେରିକା ସହ ସହଯୋଗ କରୁନାହିଁ।

ବିଶେଷ କରି ଭାରତର ଅନୁସନ୍ଧାନକାରୀ ସଂସ୍ଥା ଆମେରିକାର ଗୃହ ବିଭାଗ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି, ଯେଉଁ କାରଣରୁ ଶିଶୁ ଅପହରଣ ମାମଲା ସମାଧାନ ହୋଇ ନାହିଁ। ରିପୋର୍ଟ ଅନୁଯାୟୀ, ଗତ ୧୨ମାସ ମଧ୍ୟରେ ଶିଶୁ ଅପହରଣ ମାମଲାର ୬୫ ପ୍ରତିଶତ ସମାଧାନ ହୋଇ ନାହିଁ କାରଣ ଏହି ଅନୁସନ୍ଧାନରେ ଭାରତ ସହଯୋଗ କରୁନାହିଁ।

ସୂଚନାଯୋଗ୍ୟ,ଯଦି କୌଣସି ଶିଶୁ ତାଙ୍କ ମାତା କିମ୍ବା ପିତାଙ୍କ ଦ୍ୱାରା ଅନ୍ୟ ଦେଶରୁ ଅନ୍ୟ ପରିବାର ସଦସ୍ୟଙ୍କ ସହମତି ବିନା ଅଣାଯାଏ, ତେବେ ଏହା ଅପରାଧ ବୋଲି ଧରାଯାଏ। ଗୋଟିଏ ଦେଶର ନାଗରିକ ଅନ୍ୟ ଦେଶର ନାଗରିକଙ୍କ ସହ ବିବାହ କିମ୍ବା ସୀମା ବିବାଦ ହେତୁ ଏହିପରି ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୧୯୮୦ଅନ୍ତର୍ଜାତୀୟ ଶିଶୁ ଅପହରଣର ସିଭିଲ ଆସ୍ପେକ୍ଟସ ଉପରେ ହେଗ କନଭେନଶନ ୯୬ ଟି ଦେଶ ମଧ୍ୟରେ ଏକ ଚୁକ୍ତି ଅଟେ । ଭାରତ ଏହାର ସଦସ୍ୟ ନୁହେଁ। ତେବେ, ୨୦୧୮ ମସିହାରେ, ଏହି ସମସ୍ୟାର ସମାଧାନ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଆର୍ବିଟ୍ରେଶନ ସେଲ ଗଠନ କରାଯାଇଥିଲା। ତେବେ ଦୁଇ ଦେଶ ମଧ୍ୟରେ ଆଇପିସିଏ ସହ ଜଡିତ ପ୍ରସଙ୍ଗଗୁଡ଼ିକ ସମାଧାନ ହୋଇ ନାହିଁ।

ଆମେରିକାର ରିପୋର୍ଟରେ, ଭାରତ, ଆର୍ଜେଣ୍ଟିନା, ବେଲିଜେ, ବ୍ରାଜିଲ, ବୁଲଗେରିଆ, ଇକ୍ୟୁଏଡର୍‌, ଇଜିପ୍ଟ, ହୋଣ୍ଡୁରାସ, ଜୋର୍ଡାନ, ପେରୁ, ରିପବ୍ଲିକ ଅଫ କୋରିଆ, ରୋମାନିଆ, ରୁଷିଆ, ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଆଦି ୧୪ ଦେଶ ଆଇପିସିଏ ପ୍ରୋଟୋକଲ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି।

Share