ଆଜି ଭାରତ-ନ୍ୟୁଜିଲାଣ୍ଡ କ୍ରସ୍‌ ଓଭର

ଭୁବନେଶ୍ୱର, ୨୨।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ୪ଟି ଗ୍ରୁପ୍‌ରେ ଶୀର୍ଷସ୍ଥାନରେ ରହି ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନିୟମ ଅନୁସାରେ ଅନ୍ୟ ୪ଟି ସ୍ଥାନ କ୍ରସ୍‌ ଓଭର ମ୍ୟାଚରୁ ପୂରଣ ହେବ। ଏହି ପର୍ଯ୍ୟାୟର ମ୍ୟାଚ ରବିବାର ଓ ସୋମବାର ଅନୁଷ୍ଠିତ ହେବ। ପୁଲ୍‌ ‘ଡି’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇନାହିଁ। ତେଣୁ ରବିବାର ଘରୋଇ ଦଳକୁ କ୍ରସ୍‌ ଓଭର ମ୍ୟାଚରେ ପୁଲ୍‌ ‘ସି’ର ତୃତୀୟ ସ୍ଥାନୀୟ ଦଳ ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବାକୁ ପଡ଼ିବ। ନ୍ୟୁଜିଲାଣ୍ଡକୁ ହରାଇ ପାରିଲେ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ସୋମବାର ଅନ୍ୟ ଏକ କ୍ରସ୍‌ ଓଭର ମ୍ୟାଚ ପୁଲ୍‌ ‘ସି’ର ଦ୍ୱିତୀୟ ମାଲେସିଆ ଓ ପୁଲ୍‌ ‘ଡି’ର ତୃତୀୟ ଦଳ ସ୍ପେନ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚର ବିଜେତା ମଧ୍ୟ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ।
ଗ୍ରୁପ୍‌ ପର୍ଯ୍ୟାୟରେ ଧିମା ଖେଳ ଭାରତର ଅଗ୍ରଗତିକୁ ଜଟିଳ କରିଛି। ବିଶେଷ କରି ଗୋଲ ସ୍କୋରିଂରେ ବିଫଳତା ଦଳକୁ ବ୍ୟାକ୍‌ଫୁଟ୍‌ରେ ରଖିଛି। ସ୍ପେନ୍‌ ବିପକ୍ଷରେ ୨-୦ ଗୋଲରେ ବିଜୟ ସହ ଭାରତ ଅଭିଯାନ ଆରମ୍ଭ କରିଥିଲା। ଅନେକ ସୁଯୋଗ ପାଇ ମଧ୍ୟ ଦଳ ଏହାର ସଦୁପଯୋଗ କରିପାରି ନ ଥିଲା। ଦ୍ୱିତୀୟ ମ୍ୟାଚରେ ଗୋଟିଏ ହେଲେ ଗୋଲ ଦେଇ ନ ପାରି ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର ରଖିଥିଲା। କଥା ଏତିକିରେ ସରି ନ ଥିଲା। ଅପେକ୍ଷାକୃତ ଦୁର୍ବଳ ଓ୍ବେଲ୍ସ ବିପକ୍ଷରେ ଘରୋଇ ଦଳ ବଡ଼ ବ୍ୟବଧାନରେ ଜିତିବ ବୋଲି ଆଶା କରାଯାଉଥିଲା। ମାତ୍ର ତାହା ହୋଇପାରି ନ ଥିଲା। ଦଳ ମାତ୍ର ୪ଟି ଗୋଲ ଦେଇ ପାରିଥିବାବେଳେ ୨ଟି ଗୋଲ ବରଣ କରିଥିଲା। ତେଣୁ କେବଳ ଆକ୍ରମଣାତ୍ମକ କ୍ଷେତ୍ରରେ ନୁହେଁ ରକ୍ଷଣଭାଗର ବିଫଳତା ମଧ୍ୟ ପଦାରେ ପଡ଼ିଥିଲା। ଏହା ଭାରତୀୟ ଦଳ ପାଇଁ ଚେତାବନୀ ସଦୃଶ ହୋଇଛି। ନ୍ୟୁଜିଲାଣ୍ଡ ଦଳକୁ କୌଣସି ପରିସ୍ଥିତିରେ ହାଲୁକା ଭାବେ ନେଇହେବନାହିଁ। ନିକଟ ଅତୀତରେ ଏହି ଦଳ ଉତ୍ସାହୀ ପ୍ରଦର୍ଶନ କରି ଆସିଛି। ୨୦୨୨ ଅକ୍ଟୋବରରେ ଅନୁଷ୍ଠିତ ପ୍ରୋ-ଲିଗ୍‌ ମ୍ୟାଚରେ ଏହି ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ତେଣୁ ସବୁ ବିଭାଗରେ ଭଲ ପ୍ରଦର୍ଶନ ହିଁ ଭାରତକୁ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ନେଇପାରିବ। ନ୍ୟୁଜିଲାଣ୍ଡକୁ ହରାଇଲେ ଭାରତ କ୍ୱାର୍ଟର ଫାଇନାଲରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ। ତେଣୁ କୋଚ୍‌ ଗ୍ରାହାମ ରିଡ୍‌ ଓ ଅଧିନାୟକ ହରମନପ୍ରୀତ ସିଂଙ୍କୁ ଏବେଠାରୁ ସ୍ବତନ୍ତ୍ର ରଣନୀତିରେ ଖେଳିବାକୁ ହେବ।