Categories: ଖେଳ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆଜି

ରାୟପୁର, ୨୧।୧ (ପି.ଟି.): ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଏଥିରେ ବିଜୟ ଲାଭ କରି ୨-୦ରେ ଅଗ୍ରଣୀ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେବାକୁ ଚାହିଁବ। ରାୟପୁର ସହର ପ୍ରଥମ ଥର ଏକ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାଡିୟମରେ ୬୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଏହି ମ୍ୟାଚରେ ଭାରତ ମିଡିଲ ଅର୍ଡରରୁ ଅଧିକ ରନ ଆଶା କରିବ। ପୁନଶ୍ଚ ଡେଥ୍‌ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ କରିବାକୁ ହେବ। ଗତ ମ୍ୟାଚରେ ୩୫୦ ରନର ବିଜୟ ଲକ୍ଷ୍ୟ ଚେଜ୍‌ କରୁଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଏକଦା ୧୩୧ ରନ୍‌ରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ଦଳ ପରେ ଲଢୁଆ ପ୍ରତ୍ୟାବର୍ତ୍ତନ କରି ୨୦୬ ରନ ଯୋଗ କରିବାରେ ସମର୍ଥ ହୋଇଥିଲା, ଯାହାକି ଭାରତ ପାଇଁ ଚିନ୍ତାର ବିଷୟ। ଭ୍ରମଣକାରୀ ଦଳ ଏପରିକି ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ମାତ୍ର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ସେଥିରେ ଅଙ୍କୁଶ ଲଗାଇଥିଲେ। ମ୍ୟାଚରେ ଶୁବମନ ଗିଲ୍‌ଙ୍କ ଚିତାକର୍ଷକ ଦ୍ୱିଶତକ ଯୋଗୁ ଭାରତ ଏକ ବଡ଼ ସ୍କୋର କରିପାରିଥିଲା। ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ ଆଶନୁରୂପ ବ୍ୟାଟିଂ କରିପାରି ନ ଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଗତ ମ୍ୟାଚରୁ କିଛି ଶିକ୍ଷା ଲାଭ କରିଛି। ଏଥର ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରିବ। ପ୍ରଥମ ଦିନିକିଆରେ ଫିନ୍‌ ଆଲେନ୍‌ କେତୋଟି ଭଲ ଶଟ୍‌ ଖେଳିଥିଲେ ମାତ୍ର ବଡ଼ ସ୍କୋର କରିପାରି ନ ଥିଲେ। କେନ୍‌ ଓ୍ବିଲିୟମ୍ସଙ୍କ ଅନୁପସ୍ଥିତିରେ ଜଣେ କେହି କ୍ରିଜ୍‌ରେ ଅଧିକ ସମୟ ମହଜୁଦ ରହି ଦଳର ଇନିଂସକୁ ଆଗେଇ ନେବା ଆବଶ୍ୟକତା ରହିଛି। ଗିଲ୍‌ଙ୍କଠାରୁ ପ୍ରହାର ଖାଇଥିଲେ ମଧ୍ୟ ହେନ୍‌ରୀ ଶିପ୍‌ଲୀ, ଲୋକି ଫର୍ଗୁସନ ଓ ବ୍ଲେୟାର ଟିକ୍‌ନର ଶନିବାର ମ୍ୟାଚରେ ଉନ୍ନତ ବୋଲିଂ କରିବାକୁ ଚେଷ୍ଟା କରିବେ। ଦଳ ପାଇଁ କର ଅବା ମର ମ୍ୟାଚ ପାଇଁ ଇଶ୍‌ ସୋଧି ସମ୍ପୂର୍ଣ୍ଣ ଫିଟ୍‌ ନେସ ଫେରିପାଉଛନ୍ତି କି ନା ତାହା ଶନିବାର ସ୍ପଷ୍ଟ ହେବ।

Share