Categories: ଖେଳ

ବାଂଲାଦେଶ ମୁହଁରୁ ବିଜୟ ଛଡାଇ ଆଣି ଭାରତ କଲା ଏମିତି ରେକର୍ଡ

ଢାକା,୨୫।୧୨: ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ଜିତି ନେଇଛି। ଏହି ମ୍ୟାଚରେ, ଆର ଅଶ୍ୱିନ ଏବଂ ଶ୍ରେୟସ ଆୟରଙ୍କ ଦମ୍‌ଦାର ଇନିଂସ ଯୋଗୁ ଟିମ ଇଣ୍ଡିଆ ବାଂଲାଦେଶର ହାତରୁ ବିଜୟ ଛଡ଼ାଇ ନେଇଥିଲା।ଏଥି ସହିତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଏହି ବିଜୟ ପରେ ଟିମ ଇଣ୍ଡିଆ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଭାରତ ଏସିଆ ଭିତରେ କ୍ରମାଗତ ୧୮ ତମ ଟେଷ୍ଟ ସିରିଜ ଜିତିଛି।
୨୦୧୨-୧୩ରେ ଭାରତ ଏସିଆରେ ଶେଷ ଥର ପାଇଁ ପରାସ୍ତ ହୋଇଥିଲା। ସେହି ସମୟରେ ଘରୋଇ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୨-୧ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ସେବେଠାରୁ ଟିମ ଇଣ୍ଡିଆ ଏସିଆ ଭିତରେ ଚମତ୍କାର ପ୍ରଦର୍ଶନ କରିଛି ଏବଂ କ୍ରମାଗତ ୧୮ତମ ସିରିଜ ବିଜୟ ହାସଲ କରିବାରେ ସଫଳ ହୋଇଛି।
ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ବିଜୟ ସହ ଭାରତ ୨୦୦୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ବଡ଼ ରେକର୍ଡ ବଜାୟ ରଖିଛି। ଟିମ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ବାଂଲାଦେଶଠାରୁ ଟେଷ୍ଟ ମ୍ୟାଚ ହାରି ନାହିଁ। ୨୦୧୫ରେ ବାଂଲାଦେଶ ଭାରତ ସହ ଏକ ମ୍ୟାଚ ଡ୍ର କରିବାରେ ସକ୍ଷମ ହୋଇଥିଲା, କିନ୍ତୁ ଏହି ମ୍ୟାଚରେ ଭାରତ ପରାଜିତ ହୋଇ ନ ଥିଲା। ଅନ୍ୟପକ୍ଷରେ, ଦୁଇ ଦଳ ମଧ୍ୟରେ ଗତ ୧୩ଟି ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ୧୧ଟି ମ୍ୟାଚ ଜିତିଥିବାବେଳେ ଦୁଇଟି ମ୍ୟାଚ ଡ୍ର ହୋଇଛି।
ତେବେ ଏହି ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ ଭାରତ ବିପକ୍ଷ ପ୍ରଥମ ଐତିହାସିକ ଟେଷ୍ଟ ବିଜୟର ନିକଟତର ହୋଇଥିଲା। କିନ୍ତୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ-ଆୟର୍‌ ଏବଂ ଆର ଅଶ୍ୱିନ ବାଂଲାଦେଶର ଆଶାକୁ ନଷ୍ଟ କରି ଦକଳୁ ୩ ଉଇକେଟ୍‌ରେ ଜିତାଇଥିଲେ।

Share