Categories: ଖେଳ

ଓ୍ବେଷ୍ଟଇଣ୍ଡିଜକୁ ୮୮ ରନ୍‌ରେ ହରାଇଲା ଭାରତ

ଲଡରହିଲ୍‌, ୮ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୮୮ ରନ୍‌ରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି। ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ୧୮୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ଓ୍ବେଷ୍ଟଇଣ୍ଡିଜ ୧୫.୪ ଓଭରରେ ୧୦୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋର ସିମରନ ହେଟ୍‌ମେର ୫୬ ରନ୍‌ କରିଥିଲେ। ଶାମରା ବ୍ରୁକ୍ସ ୧୩ ଓ ଉଇକେଟ୍‌କିପର ଡେଭନ ଥୋମାସ ୧୦ ରନ୍‌ କରିଥିବା ବେଳେ ଅନ୍ୟ କେହି ୨ ଅଙ୍କ ଛୁଇଁପାରି ନ ଥିଲେ। ଭାରତ ପକ୍ଷରୁ ସଫଳ ବୋଲର ରବି ବିଷ୍ଣୋଇ ୪ ଏବଂ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରେୟାସ ଆୟାରଙ୍କ ପ୍ରଭାବୀ ବ୍ୟାଟିଂ ସହାୟତାରେ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୧୮୮ ରନ୍‌ କରିଥିଲା। ଶ୍ରେୟାସ ଜାସନ ହୋଲ୍ଡରଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହେବା ପୂର୍ବରୁ ୪୦ ବଲ୍‌ରେ ୮ ଚୌକା ଓ ୨ ଛକା ସହ ୬୪ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ହୁଦା ୩୮ରନ୍‌ (୨୫ବଲ୍‌) କରିଥିଲେ। ଶ୍ରେୟାସ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ରେ ବିଫଳ ହେବା ପରେ ଚତୁର୍ଥ ମ୍ୟାଚ୍‌ରୁ
ବାଦ୍‌ ପଡ଼ିଥିଲେ। ତେବେ ରବିବାର ମ୍ୟାଚ୍‌ରେ ସେ ଅସ୍ବାଭାବିକ ଭାବେ ଓପ୍‌ନର ଭାବେ ଖେଳିବାକୁ ଆସିଥିଲେ। ଇଶାନ କିଶନ ମାତ୍ର ୧୧ ରନ୍‌ କରି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବା ପରେ ଶ୍ରେୟାସ ଓ ଦୀପକ ପାର୍ଟନରଶିପ୍‌ରେ ମାତ୍ର ୭.୧ ଓଭରରେ ୭୬ ରନ୍‌ ଯୋଗ କରିଥିଲେ। କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲ୍‌ରୁ ୨୮ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ତରଫରୁ ସଫଳ ବୋଲର ଭାବେ ଓଡିନ୍‌ ସ୍ମିଥ୍‌ ୩୩ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ: ୨୦ ଓଭରରେ ୧୮୮/୭ (ଶ୍ରେୟାସ ଆୟାର-୬୪, ଦୀପକ ହୁଦା-୩୮; ଓଡିନ୍‌ ସ୍ମିଥ୍‌-୩/୩୩, ଡୋମିନିକ୍‌ ଡ୍ରେକ୍ସ-୧/୨୪)।
ଓ୍ବେଷ୍ଟଇଣ୍ଡିଜ: ୧୫.୪ ଓଭରରେ ୧୦୦/ଅଲ୍‌ଆଉଟ (ସିମରନ ହେଟମେର-୫୬; ରବି ବିଷ୍ଣୋଇ -୪/୧୬, କୁଲଦୀପ ଯାଦବ-୩/୧୨, ଅକ୍ଷର ପଟେଲ-୩/୧୫।

Share