ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଜାନୁଆରୀ ୨୦୨୭ରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରି ଦିନିକିଆ ଏବଂ T20I ସିରିଜ ଖେଳିପାରେ ବୋଲି ଜଣାପଡ଼ିଛି। ଏହା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଜାନୁଆରୀରେ ମଧ୍ୟ ଏହି ଦୁଇ ଦିଗ୍ଗଜ ଖେଳାଳିଙ୍କୁ ମଇଦାନରେ ଦେଖିବାକୁ ମିଳିପାରେ।
ଭାରତର ବାଂଲାଦେଶ ଗସ୍ତ ଜୁଲାଇ ୨୦୨୫ରେ ହେବାର ଥିଲା, କିନ୍ତୁ ଏହା ବାତିଲ ହୋଇଯାଇଥିଲା। ଏହାପରେ ବାଂଲାଦେଶ ଭାରତ ଆସି T20 ବିଶ୍ୱକପର ମ୍ୟାଚ ଖେଳିବାକୁ ମନା କରିଦେଇଥିଲା। ଏହି କାରଣରୁ BCCI ଓ BCB ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସେପ୍ଟେମ୍ବରରେ ମଧ୍ୟ ଦୁଇ ଦଳ ମଧ୍ୟରେ ସୀମିତ ଓଭର ବିଶିଷ୍ଟ ସିରିଜ ଆୟୋଜନ ସମ୍ଭବ ହୋଇନଥିଲା।
ଏବେ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଜାନୁଆରୀରେ ସିରିଜ ଆୟୋଜନ କରିବାକୁ BCCI ଓ BCB ମଧ୍ୟରେ ଆଲୋଚନା ଚାଲିଛି। ଏପର୍ଯ୍ୟନ୍ତ କୌଣସି କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। କିନ୍ତୁ ଉଭୟ ବୋର୍ଡ ମଧ୍ୟରେ ଆଲୋଚନା ସକାରାତ୍ମକ ଦିଗରେ ଆଗକୁ ବଢ଼ୁଥିବା ଜଣାପଡ଼ିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ୩ଟି ଦିନିକିଆ ଏବଂ ୩ଟି T20I ମ୍ୟାଚର ସିରିଜ ଖେଳାଯାଇପାରେ।
ଭାରତ ଓ ଜିମ୍ବାୱେ ମଧ୍ୟରେ ଜୁଲାଇ ୩ରୁ ୯ ତାରିଖ ମଧ୍ୟରେ ୩ଟି ଦିନିକିଆ ମ୍ୟାଚର ସିରିଜ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଜାନୁଆରୀ ୨୧ରୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ। ଏଭଳି ସ୍ଥିତିରେ BCCI ଓ BCB ପାଇଁ ମଝିରେ ଦିନିକିଆ ଏବଂ T20I ମ୍ୟାଚ ଆୟୋଜନ ପାଇଁ ସମୟ ବାହାର କରିବା ସହଜ ହେବ ନାହିଁ। ତେବେ ଉଭୟ ବୋର୍ଡ ମଧ୍ୟରେ ସହମତି ହେଲେ ଗୋଟିଏ ଦିନ ବ୍ୟବଧାନରେ ମ୍ୟାଚ ଆୟୋଜନ କରାଯାଇପାରେ। BCCI ଚାହିଁଲେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ର କାର୍ଯ୍ୟସୂଚୀରେ ମଧ୍ୟ କିଛି ପରିବର୍ତ୍ତନ କରିପାରେ।
T20 ବିଶ୍ୱକପ ୨୦୨୬ ପରେ ବାଂଲାଦେଶ କ୍ରିକେଟ ବୋର୍ଡରେ ବଡ଼ ପରିବର୍ତ୍ତନ ହୋଇଥିଲା। ଅମିନୁଲ ଇସଲାମଙ୍କ ସ୍ଥାନରେ ତମିମ ଇକବାଲଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ତମିମ ଇକବାଲ BCCI ସହ BCBର ସମ୍ପର୍କକୁ ସୁଧାରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦ୍ୱିପାକ୍ଷିକ ସିରିଜ ଆୟୋଜନ ସପକ୍ଷରେ ଅଛନ୍ତି ଏବଂ ନିୟମିତ ଭାବେ BCCI ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଦଳ ଶେଷଥର ପାଇଁ ଡିସେମ୍ବର ୨୦୨୨ରେ ବାଂଲାଦେଶ ଗସ୍ତ କରିଥିଲା। ସେହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୨ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯାଇଥିଲା।