ନୂଆଦିଲ୍ଲୀ,୩ା୬: ବିଶ୍ୱର ପ୍ରମୁଖ ଶେୟାର ବଜାରଗୁଡ଼ିକ ମଧ୍ୟରେ ଭାରତ ପଛରେ ପଡ଼ିଛି। ଦକ୍ଷିଣ କୋରିଆ ଭାରତକୁ ପଛରେ ପକାଇ ବିଶ୍ୱର ୬ଷ୍ଠ ବୃହତ୍ ଶେୟାର ବଜାର ଭାବେ ପ୍ରତିଷ୍ଠାଲାଭ କରିଥିଲାବେଳେ ଭାରତର ସ୍ଥାନ ଏ କ୍ଷେତ୍ରରେ ୭ମ ସ୍ଥାନକୁ ଖସିଯାଇଛି। ଚଳିତ ବର୍ଷ ଦକ୍ଷିଣ କୋରିଆର ଅନେକ ବୈଷୟିକ କମ୍ପାନୀ କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ଚିପ୍ସ ନିର୍ମାଣ କରିବା କ୍ଷେତ୍ରକୁ ସୁଦୃଢ଼ କରିବା ପରେ ବିଦେଶୀ ନିବେଶକ ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆ ଷ୍ଟକ୍ ଏକ୍ସଚେଞ୍ଜରେ ଏହିସବୁ କମ୍ପାନୀରେ ବିପୁଳ ପୁଞ୍ଜି ନିବେଶ କରିଛନ୍ତି। ଫଳରେ ଦକ୍ଷିଣ କୋରିଆର କୋସ୍ପି, କୋସ୍ଡାକ୍ ଏବଂ କୋନେକ୍ସ ଭଳି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜଗୁଡିକରେ ତାଲିକାଭୁକ୍ତ ହୋଇଥିବା କମ୍ପାନୀଗୁଡିକର ବଜାର ପୁଞ୍ଜି ( ମାର୍କେଟ କ୍ୟାପିଟାଲାଇଜେଶନ ) ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି। ଭାରତୀୟ ଶେୟାର ବଜାରରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ଭଳି ଦୁଇଟି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ ରହିଥିଲାବେଳେ ଏନ୍ଏସ୍ଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ମୂଲ୍ୟ ୪.୮୫ ଟ୍ରଲିୟନ ଡଲାର ରହିଥିଲା। କିନ୍ତୁ ଏହା ମଧ୍ୟରେ ଦକ୍ଷିଣ କୋରିଆ ଷ୍ଟକ୍ ଏକ୍ସଚେଞ୍ଜ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ମୂଲ୍ୟ ୫.୦୧ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଫଳରେ ଭାରତୀୟ ଶେୟାର ବଜାର ସ୍ଥାନ ବିଶ୍ୱସ୍ତରରେ ଗୋଟିଏ ସ୍ଥାନକୁ ଖସି ୭ମ ସ୍ଥାନରେ ରହିଛି। ଏହାପୂର୍ବରୁ ମାସକ ତଳେ ଭାରତୀୟ ଶେୟାର ବଜାର ସ୍ଥିତି ତାଇଓ୍ବାନ୍ ଶେୟାର ବଜାର ତୁଳନାରେ ହ୍ରାସ ପାଇବା ସହ ଏହାର ସ୍ଥାନ ତଳକୁ ଖସିଥିଲା। ମାସକ ମଧ୍ୟରେ ଭାରତୀୟ ଶେୟାର ବଜାର କ୍ରମାଙ୍କ ଦୁଇଟି ସ୍ଥାନ ତଳକୁ ଖସିବା ପୁଞ୍ଜି ନିବେଶ ପ୍ରତି ଚିନ୍ତାଜନକ ହୋଇଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ପ୍ରାୟ ଦେଢ ବର୍ଷ ତଳେ ତାଇଓ୍ବାନ୍ ଏବଂ ଦକ୍ଷିଣ କୋରିଆ ଷ୍ଟକ୍ ଏକ୍ସଚେଞ୍ଜଗୁଡିକରେ ଯେତିକି ପରିମାଣର ଶେୟାର କାରବାର ହେଉଥିଲା, ସେ ତୁଳନାରେ ଭାରତୀୟ ଶେୟାର ବଜାରରେ ୩.୫ ଗୁଣ ଅଧିକ କାରବାର ହେଉଥିଲା। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ତାଇଓ୍ବାନ ଏବଂ ଦକ୍ଷିଣ କୋରିଆ ଭାରତକୁ ଅତିକ୍ରମ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବକୁ ନେଇ ଗତ କିଛି ମାସ ଧରି ଭାରତୀୟ ଶେୟାର ବଜାର ଅସ୍ଥିର ରହିବା ସହ ବିଦେଶୀ ପୁଞ୍ଜିନିବେଶକମାନେ ବିପୁଳ ପରିମାଣର ଅର୍ଥ ଉଠାଇ ନେଇଛନ୍ତି।